ଆବଶ୍ୟକ ଛାତ୍ରୀଛାତ୍ର ଥିବା ସତ୍ତ୍ୱେ ବିଦ୍ୟାଳୟ ବନ୍ଦ କଲା ପ୍ରଶାସନ

କଣ୍ଟାପଡ଼ା,୧୮।୯(ଡି.ଏନ୍‌.ଏ.): ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ଗଣଶିକ୍ଷା ବିଭାଗ ନିୟମ ଅନୁଯାୟୀ ଆବଶ୍ୟକ ଛାତ୍ରୀଛାତ୍ର ଥିବା ସତ୍ତ୍ୱେ କଣ୍ଟାପଡା ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟକୁ ମନମୁଖି ଭାବେ ବନ୍ଦ କରିଦିଆଯାଇଛି। ଏ ନେଇ ବୁଧବାର କଟକ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, କଣ୍ଟାପଡ଼ା ବ୍ଲକ ବାଗଲପୁର ପଞ୍ଚାୟତସ୍ଥିତ ଖଣ୍ଡିଆରୀପୁର ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ଗଣଶିକ୍ଷା ବିଭାଗ ନିୟମ ଅନୁସାରେ, ଉକ୍ତ ବିଦ୍ୟାଳୟରେ ୧୦ରୁ ଊର୍ଦ୍ଧ୍ୱ ଉପସ୍ଥାନ ନ ଥିବାରୁ ଗତ ୨୪ା୬ା୨୦୧୯ରେ କଣ୍ଟାପଡ଼ା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ.୬୭୦ରେ ଉକ୍ତ ବିଦ୍ୟାଳୟକୁ ବନ୍ଦ କରିଦେବା ପାଇଁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଖଣ୍ଡିଆରୀପୁର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲ। ଏ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମାଗିବା ପରେ ବିଦ୍ୟାଳୟରେ ୧୨ ଛାତ୍ରୀଛାତ୍ର ପଢ଼ୁଥିବା ଜଣାପଡ଼ିଥିଲା।
ସୂଚନା ଅଧିକାର ତଥ୍ୟ ଅନୁଯାୟୀ, ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ୩ ଜଣ ଛାତ୍ର ଥିବାବେଳେ ତୃତୀୟରେ ୨, ଚତୁର୍ଥରେ ୬, ପଞ୍ଚମରେ ଜଣେ ପଢ଼ୁଥିବା ଜଣାପଡିଥିଲା। ଫଳରେ ଏହାକୁ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ନିଷ୍ପତ୍ତି ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କଣ୍ଟାପଡ଼ା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ବାରିକ କୁହନ୍ତି, ସୂଚନା ଦେବା ପୂର୍ବରୁ ଉକ୍ତ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି।

Share