ଆବାସ ଘରେ ବନ୍ଧା ହେଉଛନ୍ତି ଗୋରୁ, ଛେଳି

ଦଶମନ୍ତପୁର,୪ା୩(ଡି.ଏନ୍‌.ଏ.) – ଗୃହପାଳିତ ପଶୁଙ୍କ ଗୁହାଳ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ। ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ଆବାସ ନିର୍ମାଣ ଶେଷ ନ ହେବାରୁ ବାଧ୍ୟହୋଇ ହିତାଧିକାରୀ ଗୋରୁ, ଛେଳିଙ୍କୁ ସେଠାରେ ବାନ୍ଧୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏ ହେଉଛି ନିଚ୍ଛକ ଚିତ୍ର।
କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡ଼ା ପଞ୍ଚାୟତ ଅଧୀନରେ ରହିଛି ଟି.ବାରିଗୁଡ଼ା ଗ୍ରାମ। ଏଠାରେ ୪୦ଟି ପରିବାର ରହୁଛନ୍ତି। ପ୍ରାୟ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି। ହିତାଧିକାରୀ ବିଳମ୍ବ କରିବା ଆଶଙ୍କାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ଆଲୋଚନା କରି ଜଣେ ଠିକାଦାରଙ୍କୁ ଆବାସ ନିର୍ମାଣ କାମ ଦେଇଛନ୍ତି। କିନ୍ତୁ କେତେକ ହିତାଧିକାରୀଙ୍କ ଗୃହ ଦୀର୍ଘ ୩ରୁ ୪ ବର୍ଷ ହେଲାଣି ଶେଷ ହୋଇପାରୁ ନାହିଁ। କାହା ଘର ବାହାରେ ଚୂନ ମାରି ଶେଷ ବିଲ ଉଠାଯାଇଥିବା ବେଳେ ଆଉ କାହାର ଗୃହ ଭିତରେ ପ୍ଲାଷ୍ଟର, କବାଟ, ଝରକା ଲଗା ନ ଯାଇ ଅଧାରେ ପକାଯାଇଛି। କିଛି ଦିନରେ ଆବାସ କାମ ଶେଷ କରିଦେବି ବୋଲି ଠିକାଦାର ଜଣକ ହିତାଧିକାରୀଙ୍କୁ ଭୂଆଁ ବୁଲାଉଛନ୍ତି। ତେଣୁ ବାଧ୍ୟହୋଇ ହିତାଧିକାରୀ ନିଜ ଅର୍ଦ୍ଧନିର୍ମିତ ଆବାସ ଘରେ ଜାଳେଣୀ କାଠ, ଗୃହପାଳିତ ପଶୁଙ୍କୁ ରଖିବାକୁ ବାଧ୍ୟ ହେଉଥିବା ହିତାଧିକାରୀ ଲୁବ୍ରୁ ଜାନୀ, ସ୍ତ୍ରୀ ଅଅଁଲା ଜାନୀ, ବାନାଇ ଜାନୀ, ଅଅଁଲା ସାଉନ୍ତା ଅଭିଯୋଗ ଜଣାଇଛନ୍ତି। ଏଭଳି ଅର୍ଦ୍ଧନିର୍ମିତ ଗୃହଗୁଡ଼ିକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ କିପରି ଠିକାଦାରଙ୍କୁ ବିଲ ପୈଠ କରୁଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗାମୀ ଦିନରେ ସେମାନେ ଜିଲାପାଳ ଓ ଭିଜିଲାନ୍ସର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଦଶମନ୍ତପୁର ବିଡିଓ ଡମ୍ବରୁଧର ମଲ୍ଲିକ କହିଛନ୍ତି, ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share