ଆବାସ ପାଇଁ ଧାରଣା

ପରଜଙ୍ଗ, ୧୧।୨(ଡି.ଏନ.ଏ.)

ଆବାସ ଯୋଜନା କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ରହିଛି ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ। ସରକାରୀ ଅଧିକାରୀଙ୍କୁ ହାତ କରି ସ୍ବଚ୍ଛଳ ପରିବାର ହାତେଇ ନେଇଛନ୍ତି ଗୃହ ନିର୍ମାଣ କାର୍ଯ୍ୟାଦେଶ। ବ୍ଲକର ଅନେକ ପଞ୍ଚାୟତରେ ଏପରି ଅଭିଯୋଗ ପ୍ରଶାସନକୁ ଅକଳରେ ପକାଇଛି। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ହେଲେ ଏମିତି କିଛି ପରିବାର ଅଛନ୍ତି, ଯେଉଁମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ଲାଗି ବଖରାଏ ଘର ନାହିଁ। ସେମାନେ ପରିବାର ସହ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଯୋଗ୍ୟତା ଥାଇ ଆବାସ ଯୋଜନାରୁ ବାଦ୍‌ ପଡ଼ିଥିବା ଏପରି ଜଣେ ବ୍ୟକ୍ତି ହେଲେ କନ୍ତରୁ ପଞ୍ଚାୟତର ଅଙ୍ଗଦ ବେହେରା। ଏହାର ପ୍ରତିବାଦରେ ସେ ନିଜର ଦୃଷ୍ଟିବାଧିତ ସ୍ତ୍ରୀ ଅମୃତି ଏବଂ ଦୁଇ ଝିଅପୁଅଙ୍କୁ ନେଇ ସୋମବାର ଜନଶୁଣାଣି ଶିବିର ଚାଲିଥିବାବେଳେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଅଙ୍ଗଦଙ୍କ ଏପରି ପ୍ରତିବାଦ ପରେ ତହସିଲ ପ୍ରଶାସନ ପକ୍ଷରୁ ତାଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦିଆଯାଇଛି। ଏଥିସହ ଖୁବ୍‌ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ତାଲିକାଭୁକ୍ତ କରିବାକୁ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଅଙ୍ଗଦଙ୍କ କହିବା କଥା, ସେ ରହୁଥିବା ଘର ଭାଙ୍ଗିରୁଜି ଯାଇଛି। ମରାମତି କରିବାକୁ ସମ୍ବଳ ନାହିଁ। ଖରା, ବର୍ଷା, ଶୀତରେ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ନେଇ ସେ ବଡ଼ କଷ୍ଟରେ ରହୁଛନ୍ତି। ଗୁହାରି କରିବା ସତ୍ତ୍ୱେ ତାଙ୍କ ପ୍ରତି କେହି ସଦୟ ହେଉନାହାନ୍ତି। ଏହାର ପ୍ରତିବାଦରେ ସେ ପରିବାର ସହ ଧାରଣା ଦେଇଥିବା କହିଛନ୍ତି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ତାହସିଲଦାର ଜୟନ୍ତ କୁମାର ଜୟସିଂ ଅଙ୍ଗଦଙ୍କୁ ପଲିଥିନ ଯୋଗାଇ ଦେଇଛନ୍ତି। ଖୁବ୍‌ଶୀଘ୍ର ଅଙ୍ଗଦଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ଜିଲାପାଳ କହିଛନ୍ତି।

Share