ଆବାସ ବଣ୍ଟନ: ମାହାଙ୍ଗାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ବିଶେଷ କରି ସରକାରୀ ଅଫିସରମାନେ ଶାସକ ଦଳର କର୍ମୀଙ୍କୁ ପକ୍କାଘର ବଣ୍ଟନ କରିବା ସହ ସେମାନଙ୍କ ଘରକୁ ଜିଓ ଟ୍ୟାଗିଙ୍ଗ କରୁଛନ୍ତି। ଏହା ବିରୋଧରେ ଗତ ୧୦ ତାରିଖରେ ଭାଜପା ପକ୍ଷରୁ ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା। ଶାସକ ଦଳ ପକ୍ଷରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅନିୟମିତତାର ଉପଯୁକ୍ତ ପ୍ରମାଣ ଦେଖାଇଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିବୃତି ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ଖୋଦ୍‌ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ର୍ଦୁନୀତି ହୋଇଛି। ଘର ବଣ୍ଟନରେ ବ୍ୟାପକ ଅନିୟମିତତା ଏବଂ ଭ୍ରଷ୍ଟାଚାର ଘଟଣା ଘଟୁଥିବା ବେଳେ ମନ୍ତ୍ରୀ ଏହାର ପ୍ରମାଣ ମାଗିବା ଦୁର୍ଭାଗ୍ୟଜନକ ବୋଲି ଭାଜପା ନେତା ଶାରଦା ପ୍ରଧାନ ଅଭିଯୋଗ କରିଛନ୍ତି। ଏହିପରି ଅନିୟମିତତାର ତଥ୍ୟ ଦେଇ ଶାସକ ଦଳକୁ ଟାର୍ଗେଟ କରିଛି ଭାଜପା।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶାରଦା କହିଛନ୍ତି ଯେ, ୨୦୦୨ରେ ମାହାଙ୍ଗା ନିର୍ବାଚନମଣ୍ଡଳୀର ଜଣେ ବ୍ୟକ୍ତି ଇନ୍ଦିରା ଆବାସ ଘର ପାଇଥିଲେ। ୨୦୧୪-୧୫ରେ ଉକ୍ତ ବ୍ୟକ୍ତିଙ୍କ ପୁଅ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ଏକ ଘର ନେଇଥିଲେ। ଜିଲାପାଳଙ୍କ ତଦନ୍ତ ରିପୋର୍ଟରେ ଏହା ବେଆଇନ ବୋଲି ଦର୍ଶାଯାଇଛି। ଏହିପରି ମାହାଙ୍ଗା ନିର୍ବାଚନମଣ୍ଡଳୀରେ ୫ ହଜାରରୁ ଊର୍ଦ୍ଧ୍ୱ ଘର ବେଆଇନ ଭାବେ ବଣ୍ଟନ କରାଯାଇଛି। ବାପା ଓ ପୁଅ ମିଶି ଦୁଇ ମହଲା ଘର କରିଥିବା ଜିଲାପାଳ ରିପୋର୍ଟ ଦେଇଛନ୍ତି। ସେହିପରି ଖାଦ୍ୟ ସୁରକ୍ଷା ଆଇନରେ ମାହାଙ୍ଗା ପଞ୍ଚାୟତର ଜଣେ ଶାସକ ଦଳ ନେତାଙ୍କ ନାଁ ରାଶନ କାର୍ଡରେ ରହିବା ଘଟଣା ପ୍ରକାଶ ପାଇଥିଲା। କିନ୍ତୁ ମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀର ଦୁର୍ନୀତିକୁ ଲୁଚାଇଲେ। ପ୍ରତ୍ୟେକ ଦିନ ୫୦ରୁ ୧୦୦ ଅଭିଯୋଗକାରୀ ପଞ୍ଚାୟତିରାଜ ବିଭାଗ ପାଖରେ ଅଭିଯୋଗ କରିବେ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା କରନ୍ତୁ। ସେହିପରି ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର କରନ୍ତୁ ବୋଲି ଶାରଦା ଦାବି କରିଛନ୍ତି। ଅପରପକ୍ଷରେ ଭାଜପାର ଏଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଜେନା କହିଛନ୍ତି, କେବଳ ନିର୍ବାଚନ ହାରିଯିବା ପରେ ଓଷଧ ବିକଳରେ ତାଟିଆ କାମୁଡିବା ସଦୃଶ। ସେମାନଙ୍କ କାର୍ଯ୍ୟକଳାପ ମୋର ଗୋଟିଏ କଥା କୌଣସି ବ୍ୟକ୍ତି ଦୁର୍ନୀତିରେ ଲିପ୍ତ ଥିବେ ସେମାନଙ୍କୁ ଛଡା ଯିବନି ଓଲଟି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେନା କହିଛନ୍ତି।

Share