ଆବାସ ଯୋଜନାରୁ ବାଦ୍‌ ପଡିବା ଘଟଣା: ପୁନଃ ସର୍ଭେ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ଖଇରା, ୧୮।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଆବାସ ଯୋଜନାରୁ ବଞ୍ଚିତ ୨୨୮ ପରିବାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୨ଦିନ ଧରି ଧାରଣାରେ ବସି ରହିଥିଲେ ା ଶୁକ୍ରବାର ଅପରାହ୍ନରେ ବିଡିଓ ମହେଶ ଚୌଧୁରୀ, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ପଞ୍ଚାୟତ ଅଧିକାରୀ ମାୟାଧର ମଲ୍ଲିକ, ନିର୍ବାହୀ ଅଧିକାରୀ ଅଶୋକ ପାତ୍ର ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟ ଦାବି ମଧ୍ୟରେ ଜଣେ ଦକ୍ଷ କର୍ମଚାରୀଙ୍କ ଦ୍ୱାରା ଆବାସ ଯୋଜନାରୁ ବାଦ୍‌ ପଡିଥିବା ପରିବାରଗୁଡିକୁ ପୁନଃ ସର୍ଭେ କରି ପଞ୍ଜିକୃତ କରିବା ଏବଂ ନିର୍ବାହୀ ଅଧିକାରୀଙ୍କୁ ବଦଳି କରିବା ଅନ୍ତର୍ଭୁକ୍ତ ରହିଥିଲା ା ଯାହାକୁ ଯଥା ସମ୍ଭବ ପୂରଣ ପାଇଁ ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ା
ନିକଟରେ ଆବାସ ଯୋଜନା ସର୍ଭେରେ ୫୩୦ ନାମ ତାଲିକାଭୁକ୍ତ ହୋଇଥିଲା। ଏଥିରୁ ମାତ୍ର ୩୦୨ଟି ପରିବାରର ନାମ ପଞ୍ଜିକରଣ ହେବା ବିଷୟ ଜଣାପଡିବା ପରେ ଏଥିପାଇଁ ପଞ୍ଚାୟତବାସୀ ନିର୍ବାହୀ ଅଧିକାରୀଙ୍କୁ ଦାୟୀ କରିଥିଲେ। ବାରମ୍ବାର ଦୌଡି ଅଧିକାରୀଙ୍କ ଦେଖା ନ ପାଇବା ତଥା ତାଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ପାଇବା ପରେ ପଞ୍ଚାୟତବାସୀ ବାଧ୍ୟ ହୋଇ ଧାରଣାରେ ବସିଥିଲେ।