ଆବାସ ଯୋଜନାରେ ଦୁର୍ନୀତି ମାମଲା: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ପଦ୍ମପୁର,୮ା୧(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଘଟଣାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ଚାକିରିରୁ ନିଲମ୍ବନ କରିଛନ୍ତି। ଏହି ପଞ୍ଚାୟତରେ ଦୁର୍ନୀତି ହୋଇଥିବା ଅଭିଯୋଗ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପରେ ଜିଲା ପ୍ରଶାସନ ତରଫରୁ ଘଟଣାର ତଦନ୍ତ କରାଯାଇଥିଲା। ଏହି ତଦନ୍ତ ରିପୋର୍ଟକୁ ଆଧାର କରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ୧ ତାରିଖରେ ଦୁର୍ନୀତିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳଙ୍କୁ ସୁପାରିସ କରିଥିଲେ। ଏନେଇ ଜିଲାପାଳ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝାଡ଼େଶ୍ୱର ଜେନାଙ୍କୁ ଚିଠି ନଂ. ୧୧୯/୬ା୧ା୨୦୨୦ରେ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ପଞ୍ଚାୟତର ୧୭ ଜଣ ହିତାଧିକାରୀ ଘର ତିଆରି ସମ୍ପୂର୍ଣ୍ଣ କରି ନ ଥିବା ବେଳେ ସେମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ କିଭଳି ପ୍ରଦାନ କରାଗଲା ଜବାବ ଦେବା ପାଇଁ ଗ୍ରାମ ରୋଜଗାର ସେବକ ଅମିୟ ନାୟକଙ୍କୁ ୩ ଦିନ ସମୟ ଦିଆଯାଇଛି। ଅନ୍ୟପକ୍ଷେ ନିଜର ପକ୍କାଘର ଥାଇ ଓ ଘର ନ କରି ସରକାରୀ ଅର୍ଥ ହଡ଼ପ କରିଥିବା ହିତାଧିକାରୀମାନଙ୍କ ନାମରେ ଏତଲା ଦେବା ପାଇଁ ବିଡିଓ ପ୍ରଣବ କୁମାର ବେହେରାଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।