ଆବାସ ଯୋଜନାରେ ନାମ ତାଲିକାଭୁକ୍ତ ପାଇଁ ଭିଡ଼

ବନ୍ତ,୧୪ା୨(ସ୍ବ.ପ୍ର./ଡି.ଏନ.ଏ.)-ବନ୍ତ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ କାନ୍ଥରେ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକାରୁ ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ନିଜ ନାମ ତାଲିକାଭୁକ୍ତ କରାଇବା ପାଇଁ ଆବେଦନ ଲାଗି ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ଅଫିସ୍‌ କାନ୍ଥରେ ଲାଗିଥିବା ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ନ ଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ ପାଇଛି। ଆବେଦନପତ୍ର ଗ୍ରହଣ କରିବା ପାଇଁ କାର୍ଯ୍ୟାଳୟରେ ୨ଟି ବାକ୍ସ ରହିଛି। ଗୋଟିଏରେ ନାମ ତାଲିକାଭୁକ୍ତ କରିବା ଲାଗି ଓ ଅନ୍ୟଟିରେ ଅଯୋଗ୍ୟ ହିତାଧିକାରୀ ତାଲିକାରୁ ନାମ ବାଦ୍‌ କରିବାକୁ ଆବେଦନପତ୍ର ଦାଖଲ କରାଯାଉଛି। ଗତ ୧୨ ତାରିଖରୁ ଆବେଦନପତ୍ର ଗ୍ରହଣ ଆରମ୍ଭ ହୋଇଛି। ୩ ଦିନରେ ୧ ହଜାରରୁ ଅଧିକ ଆବେଦନପତ୍ର ଦାଖଲ ହୋଇଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଶନିବାର ପର୍ଯ୍ୟନ୍ତ ଆବେଦନପତ୍ର ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।