ଆବାସ ଯୋଜନାରେ ବ୍ୟାପକ ଅନିୟମିତତା : ଘର ନ ଥାଇ ହୋଇଛି ୧୫ରୁ ଊର୍ଦ୍ଧ୍ୱ ମିଥ୍ୟା ବିଲ୍‌

ଗୋପ,୧୧।୧୦(ଡି.ଏନ୍‌.ଏ.) : ଆବାସ ଯୋଜନାରେ ଗୋପ ବ୍ଲକ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ବ୍ଲକ୍‌ରେ କାର୍ଯ୍ୟରତ ଜଣେ ଯନ୍ତ୍ରୀ ଚାକିରିରୁ ବହିଷ୍କୃତ ହୋଇଥିବାବେଳେ ଆଉ ଜଣେ ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ। ଏହି ବ୍ଲକ୍‌ ଅଧୀନ ବୀରତୁଙ୍ଗ ପଞ୍ଚାୟତରେ ୧୫ରୁ ଅଧିକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନ କରି ସେମାନଙ୍କ ନାମରେ ମିଥ୍ୟା ବିଲ୍‌ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ, ଜିଲାପାଳ ଓ ଗୋପ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।
ଗୋପ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଗୃହର ଫାଇଲ୍‌ ଏବେ ସୁଦ୍ଧା ମିଳୁ ନ ଥିବାବେଳେ ଏହି ଯୋଜନାଗୁଡ଼ିକରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ଜାରି ରହିଛି। ବୀରତୁଙ୍ଗ ଗ୍ରାମପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକଙ୍କ ସହିତ ଅନ୍ୟ କର୍ମଚାରୀମାନେ ଜାଣି ମଧ୍ୟ ଏପରି ମିଥ୍ୟା ବିଲ୍‌ କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏହି ହିତାଧିକାରୀମାନଙ୍କୁ ଗୃହ ଟଙ୍କା ମିଳିଯାଇଥିବାବେଳେ ନିର୍ମାଣାଧୀନ ଗୃହର ଚିହ୍ନବର୍ଣ୍ଣ ନ ଥିବା ଜଣାପଡ଼ିଛି। ବୀରତୁଙ୍ଗ ଗ୍ରାମପଞ୍ଚାୟତର ସାମାଜିକ କର୍ମୀ କୁନାଲ ରାମଚନ୍ଦ୍ର ମହାନ୍ତି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ଏପରି ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଗୋପ ବିଡିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ଏପରି ଅଭିଯୋଗ ମୋ ନିକଟରେ ହୋଇଛି। ତଦନ୍ତ ପରେ ସତ୍ୟ ପଦାକୁ ଆସିବ ବୋଲି ସେ କହିଥିଲେ।