ଆବାସ ଯୋଜନାରେ ମିଳୁନି ବିଲ୍‌: ଜିଲାପାଳଙ୍କୁ ଫେରାଦ ହେଲେ ହିତାଧିକାରୀ

ପାଲଲହଡ଼ା, ୫ା୧୧(ଡି.ଏନ.ଏ.)

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଘର ନିର୍ମାଣ କରିଥିବା ଅନୁଗୋଳ ଜିଲା କଣିହାଁ ବ୍ଲକ ଗଣ୍ଡମାଳା ପଞ୍ଚାୟତର ହିତାଧିକାରୀମାନେ ବିଲ୍‌ ମିଳୁ ନ ଥିବା ଅଭିଯୋଗ କରି ସୋମବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ଗଣ୍ଡମାଳା ପଞ୍ଚାୟତର ବିଭିନ୍ନ ଗ୍ରାମର ୩୧ ଜଣ ହିତାଧିକାରୀ ୪ ମାସ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ। ପ୍ରଥମ କିସ୍ତିରେ ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ୩ ମାସ ମଧ୍ୟରେ ଘର କାମ ସମ୍ପୂର୍ଣ୍ଣ କଲେ ନିର୍ମାଣ ବାବଦ ସମସ୍ତ ଟଙ୍କା ସହ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି କୁହାଯାଇଥବଲା। ଫଳରେ ହିତାଧିକାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ କଷ୍ଟେମଷ୍ଟେ କାମ ଶେଷ କରିଥିଲେ ହେଁ ପୁରସ୍କାର ରାଶି ତ ଦୂରର କଥା ନିର୍ମାଣ ବାବଦ ଟଙ୍କା ମଧ୍ୟ ମିଳୁନାହିଁ। ଏ ନେଇ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ସୋମବାର ପାଲଲହଡ଼ା ଉପଖଣ୍ଡରେ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ସମ୍ପୃକ୍ତ ହିତାଧିକାରୀମାନେ ଅଭିଯୋଗ କରିଥିଲେ। ଜିଲାପାଳଙ୍କୁ ଜଣାଇବା ପରେ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବାକୁ ପ୍ରତିଶ୍ରୁତି ମିଳିଥିବା ସମ୍ପୃକ୍ତ ହିତାଧିକାରୀମାନେ ଜଣାଇଛନ୍ତି। ଏହା ନ ହେଲେ ଆନ୍ଦୋଳନ ପ୍ରସ୍ତୁତି କରାଯିବ ବୋଲି ସୁଶୀଳ ବେହେରା, କମାର ବେହେରା, ସୁଦର୍ଶନ ବେହେରା, ମୂଳିଆ ବେହେରା, ଦୁତେଇ ବେହେରା, ସୁଜାତା ବେହେରା, ପଦ୍ମିନୀ ବେହେରା, ଅଜୟ ବେହେରା,
କୁନୁ ଦେହୁରୀ ପ୍ରମୁଖ ହିତାଧିକାରୀ ଚେତାବନୀ ଦେଇଛନ୍ତି।

Share