Categories: ଗଞ୍ଜାମ

ଆବାସ ଯୋଜନାରେ ସାମିଲରୁ ବଞ୍ଚିତ ପ୍ରସଙ୍ଗ ପଦକ୍ଷେପ ନେବାକୁ ବିଏମ୍‌ସିକୁ ଆସିଲା ଚିଠି

ଛତ୍ରପୁର,୨୨ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ ରାଜୀବ ଆବାସ ଯୋଜନାରେ ଖଳାସାହିରୁ ଉଚ୍ଛେଦ ୭ ପରିବାର ସାମିଲ ହୋଇନାହାନ୍ତି। ଏହି ପ୍ରସଙ୍ଗ ଏବେ ଭିନ୍ନ ମୋଡ ନେଇଛି। ସବୁସ୍ତରରୁ ନିରାଶ ପରେ ଉକ୍ତ ପରିବାରଗୁଡିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ଏହାର ଶୁଣାଣି କରି ଆଇନ୍‌ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଉକ୍ତ ପରିବାରଗୁଡିକୁ ଏହି ଯୋଜନାରେ ସାମିଲ କରାଯାଇନି। ଫଳରେ ଉକ୍ତ ପରିବାରଙ୍କ ପକ୍ଷରୁ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ  ପ୍ରମୁଖ ଶାସନ ସଚିବଙ୍କୁ ଅଭିଯୋଗ ପିଟିଶନ ପଠାଯାଇଥିଲା। ଏମାନଙ୍କ ପିଟିଶନକୁ ଗୁରୁତ୍ୱର ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନେଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶାନୁସାରେ ଉକ୍ତ ପ୍ରସଙ୍ଗ ଉପରେ ପଦକ୍ଷେପ ନେବାକୁ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ଓଡିଶା ସହରାଞ୍ଚଳ ହାଉସିଂ ମିଶନ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ବିଜୟଲକ୍ଷ୍ମୀ ଜେନାଙ୍କୁଠାରୁ ୧୮ ତାରିଖରେ  ଚିଠି (ନଂ-୮୦୮) ଆସିଛି। ପଦକ୍ଷେପ ନେଇ ଜଣାଇବାକୁ ଉକ୍ତ ଚିଠିରେ ଉଲ୍ଲେଖ ରହିଛି।

ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର  ଆଙ୍କୁଲି ନିକଟ ଖଳାସାହିରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ସରକାରୀ ଜମିରେ ଘର ନିର୍ମାଣ କରି ୭ ପରିବାର ରହି ଆସୁଥିଲେ। ତେବେ ଉକ୍ତ ସ୍ଥାନରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାଜୀବ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ କରାଯିବା ପାଇଁ ସ୍ଥିର ହୋଇଥିଲା। ଉକ୍ତ ସ୍ଥାନ ଛାଡି ଚାଲିଯିବାକୁ ୨୦୧୬ ସେପ୍ଟେମ୍ବର ୨ ତାରିଖରେ ବ୍ରହ୍ମପୁର ମହାନଗର ନିଗମର ତତ୍କାଳୀନ କମିଶନରଙ୍କ ପକ୍ଷରୁ ଉକ୍ତ ପରିବାରମାନଙ୍କୁ ନୋଟିସ୍‌ କରାଯାଇଥିଲା। ଉକ୍ତ ସ୍ଥାନରେ ରାଜୀବ ଆବାସ ଯୋଜନାରେ ଗୃହ ନିର୍ମାଣ କରାଯିବ ଏବଂ ଏହି ଯୋଜନାର ନିୟମ ଅନୁଯାୟୀ ଯୋଗ୍ୟତା ଭିତ୍ତିରେ ଯଥାଶୀଘ୍ର ଗୃହ ଯୋଗାଇଦେବା ପାଇଁ ବ୍ୟବସ୍ଥା ହେବ ବୋଲି ଉକ୍ତ ନୋଟିସ୍‌ରେ ଦର୍ଶାଯାଇଥିଲା। ଏହାପରେ ଏହି ପରିବାରଗୁଡିକ ଉକ୍ତ ଜମି ଛାଡି ଚାଲିଯାଇଥିଲେ। ଏହାପରଠାରୁ ସେମାନେ  ଅନ୍ୟତ୍ର ଘର ଭଡା କରି କଷ୍ଟରେ ଚଳୁଛନ୍ତିି। ମାତ୍ର ତାଙ୍କୁ ରାଜୀବ ଆବାସ ଯୋଜନାରେ ସାମିଲ କରାଯାଇ ନ ଥିଲା। ଏ ନେଇ ବାରମ୍ବାର କର୍ର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏପରିକି ତତ୍କାଳୀନ ସ୍ଥାନୀୟ କର୍ପୋରେଟର ମଧ୍ୟ ଏମାନଙ୍କୁ ଉକ୍ତ ଯୋଜନାରେ ସାମିଲ କରିବାକୁ କମିଶନରଙ୍କୁ ଅନୁରୋଧ କରିଥିଲେ। ଏହାପରେ ମଧ୍ୟ କୌଣସି ପଦକ୍ଷେପ ନ ନିଆଯିବାରୁ ଏମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଇନ୍‌ ଅନୁଯାୟୀ ପଦକ୍ଷେପ ନେବାକୁ  ନଗର ଉନ୍ନୟନ ବିଭାଗ ଓ ବ୍ରହ୍ମପୁର ମହାନଗର ନିଗମ କର୍ର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।