ଆବେଙ୍କୁ ଭେଟିଲେ ମୋଦି

ଓସାକା,୨୮।୬ (ପି.ଟି.):ଜି-୨୦ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନ ପ୍ରତିପକ୍ଷ ଶିିଞ୍ଜୋ ଆବେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିଶ୍ୱ ଅର୍ଥନୀତି, ଫେରାର ଆର୍ଥିକ ଅପରାଧୀଙ୍କୁ ଧରିବା ଓ ବିପର୍ଯ୍ୟୟ ପରିଚାଳନା ପ୍ରସଙ୍ଗ ଆଦି ଆଲୋଚନାରେ ସ୍ଥାନ ପାଇଥିଲା। ଜି-୨୦ରେ ଜାପାନର ନେତୃତ୍ୱକୁ ମୋଦି ପ୍ରଶଂସା କରିଥିଲେ। ଅକ୍ଟୋବରରେ ହେବାକୁ ଥିବା ନାରୁହିଟୋଙ୍କ ରାଜ୍ୟାଭିଷେକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ ବୋଲି ମୋଦି ଏହି ଅବସରରେ କହିଥିଲେ। ବର୍ଷ ଶେଷରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ଯୋଗଦେବାକୁ ମୋଦି ଭାରତ ଆସିବା ଲାଗି ଆବେଙ୍କୁ ଆମନ୍ତ୍ରଣ କରିଛନ୍ତି।
ବନ୍ଧୁରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ଗଠନମୂଳକ ଓ ସଫଳ ହୋଇଛି। ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଫେରାର ଆର୍ଥିକ ଅପରାଧୀଙ୍କୁ ଧରିବା ଲାଗି ସଦସ୍ୟ ରାଷ୍ଟ୍ରଙ୍କ ସହଯୋଗ ଲୋଡ଼ିବେ। ଦୁର୍ନୀତି ବିରୋଧୀ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହାର ଯଥେଷ୍ଟ ଆବଶ୍ୟକତା ରହିଥିବା ସେ କହିଛନ୍ତି। ଏଥିସହ ବିଶ୍ୱ ବାଣିଜ୍ୟ ସମସ୍ୟା, ପାଣିପାଗ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ପ୍ରସଙ୍ଗ ଆଦି ସ୍ଥାନ ପାଇବ। ମୋଦି- ଆବେଙ୍କ ମଧ୍ୟରେ ମୁମ୍ବାଇ- ଅହମଦାବାଦ୍‌ ହାଇସ୍ପିଡ୍‌ ରେଲଓ୍ବେ କରିଡର୍‌ ଓ ବାରାଣସୀରେ ଏକ ସମ୍ମିଳନୀ କେନ୍ଦ୍ର ଖୋଲିବା ନେଇ ଆଲୋଚନା ହୋଇଛି। ପୂର୍ବୋତ୍ତର ଭାରତରେ ଜାପାନର କାର୍ଯ୍ୟକୁ ମୋଦି ପ୍ରଶଂସା କରିଥିଲେ। ପୁନଃ ଥଇଥାନ ଓ ପୁନଃନିର୍ମାଣ ଲାଗି ଦୁଇଦେଶ ଏକହୋଇ କାର୍ଯ୍ୟକରିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି।
ଡ୍ଟାପାନ୍‌ରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ନୂଆ ଭାରତ ଗଠନରେ ଜାପାନ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପ୍ରତି ଆସ୍ଥାଭାଜନ ହୋଇଥିବାରୁ ପ୍ରବାସୀ ଭାରତୀୟଙ୍କୁ ମୋଦି ଧନ୍ୟବାଦ ଜଣାଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ମଧ୍ୟ ସେ ସେଠାରେ ପ୍ରଶଂସା କରିବାକୁ ଭୁଲି ନ ଥିଲେ। ପ୍ରକାଶଥାଉ କି, ପ୍ରଧାନମନ୍ତ୍ରୀ ମୋଦି ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଓ ଅନ୍ୟ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Share