‘ଆଭିଗନ୍‌’ ଔଷଧ କରୋନା ମୁକାବିଲାରେ ହେବ ସହାୟକ: ଭାରତୀୟ ଡାକ୍ତର

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଦେଖାଦେଇଛି। ସାରା ପୃଥିବୀରେ ଏହାର ମୁକାବିଲା ପାଇଁ ଔଷଧ ପ୍ରସ୍ତୁତିରେ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି। ତେବେ ଭାରତୀୟ ଡାକ୍ତର ପ୍ରଫେସର ନାରାୟଣ ଋଷି କରୋନା ସଂକ୍ରମିତଙ୍କୁ ସୁସ୍ଥ କରିବାରେ ‘ଆଭିଗନ୍‌’ ଔଷଧ ବେଶ୍‌ ସଫଳ ରହିଥିବା ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କୁ ଦିଆଯାଇଥିବା ଔଷଧ ସାର୍ସ ଭୂତାଣୁ କ୍ଷେତ୍ରରେ ବେଶ୍‌ ସଫଳ ରହିଥିଲା। ଏବେ କରୋନା ସଂକ୍ରମିତଙ୍କୁ ଏହା ଦ୍ୱାରା ବେଶ୍‌ ସୁଫଳ ମିଳିପାରିଥିବା ସେ କହିଛନ୍ତି। କରୋନା ପାଇଁ ନିଦ୍ଦିଷ୍ଟ ଭାବେ କୌଣସି ଔଷଧ ପ୍ରସ୍ତୁତ ନ ହୋଇ ଥିଲେ ବି ଆନୁମାନିକ ଭାବେ ଏହାର ପ୍ରୟୋଗ କରାଯାଉଛି। ସାର୍ସ ଏବଂ କରୋନା ଉଭୟ ଗୋଟିଏ ପ୍ରକାରର ଭୂତାଣୁ। କେବଳ ସଂରଞ୍ଚନାରେ କିଛି ଫରକ ରହିଥିବା ସେ ସୂଚନା ଦେଇଛନ୍ତି। ସେହିପରି ତାପମାତ୍ରା ବଢ଼ିବା ସହିତ କରୋନା ଆତଙ୍କ ଧୀରେଧୀରେ କମିବାର ସମ୍ଭାବନା ଥିବ ସେ କହିଛନ୍ତି। କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଋଷି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ସଫଳତା ମିଳି ନାହିଁ, ତେବେ ଖୁବ୍‌ ଶୀଘ୍ର କରୋନା କବଳରୁ ସାରା ପୃଥିବୀ ମୁକ୍ତ ହେବାର ଆଶା ରହିଛି। ଋଷିଙ୍କ ଏଭଳି ମନ୍ତବ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share