ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ କରିପାରେ କରୋନା

ବେଜିଂ,୧୮ା୫(ପି.ଟି.): କରୋନା ଆକ୍ରାନ୍ତ ରୋଗୀଙ୍କର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଚାଇନା ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷ ସତର୍କ କରାଇବା ସହ ରୋଗୀମାନଙ୍କ ସ୍ବାସ୍ଥ୍ୟବୀମା ସୀମାକୁ ବଢ଼ାଇଛନ୍ତି। କୋଭିଡ୍‌-୧୯ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ପାଇଁ ଚାଇନାର ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନ୍‌ଏଚ୍‌ସି) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସୁସ୍ଥ ହେବା ସତ୍ତ୍ୱେ କେତେଜଣ ରୋଗୀଙ୍କର ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ ଚିକିତ୍ସା ସହ ମାଂସପେଶୀ ଦୁର୍ବଳ ଜନିତ ସମସ୍ୟା ଓ ମାନସିକ ବିକାରର ଚିକିତ୍ସା ଆବଶ୍ୟକ ହେବ। ଏଗୁଡ଼ିକ ଦୀର୍ଘକାଳୀନ ରୋଗ ହୋଇଥିବାରୁ ଅନେକ ଦିନ ପର୍ଯ୍ୟନ୍ତ ଚିକିତ୍ସା କରିବାକୁ ପଡ଼ିପାରେ ବୋଲି ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ସରକାରୀ ସ୍ବାସ୍ଥ୍ୟବୀମା ଯୋଜନାରେ ଏଥିପାଇଁ ରୋଗୀ ଚିକିତ୍ସା ବ୍ୟୟ କ୍ଲେମ୍‌ କରିପାରିବେ।
ଚାଇନାରେ କରୋନା ଭୂତାଣୁ ୪,୬୩୪ ଜଣଙ୍କ ଜୀବନ ନେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୭୮,୨୨୭ ଜଣ ସୁସ୍ଥ ହେଲେଣି। ଏବେ ମାତ୍ର ୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ସୁସ୍ଥ ହେଲେ ମଧ୍ୟ ରୋଗୀଙ୍କ ଅଙ୍ଗ ଉପରେ ଭୂତାଣୁର ପ୍ରଭାବ ଦୀର୍ଘଦିନ ରହିବ। ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଅଙ୍ଗ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଥିବାରୁ ସେମାନଙ୍କ ପାଇଁ ଦୀର୍ଘକାଳୀନ ପୁନର୍ବାସନର ଆବଶ୍ୟକତା ଥିବା ରିପୋର୍ଟରେ କୁହାଯାଇଛି। କେତେଜଣ ରୋଗୀଙ୍କ ଠାରେ ହୃଦ୍‌ରୋଗ ଦେଖାଦେଇପାରେ ବୋଲି ଏନ୍‌ଏଚ୍‌ସି କହିଛି। ସେହିପରି କରୋନା ରୋଗୀଙ୍କଠାରେ ମାନସିକ ବିଷାଦ, ନିଦ୍ରାହୀନତା, ଖାଦ୍ୟଗ୍ରହଣରେ ବ୍ୟତିକ୍ରମ ଆଦି ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

Share