Categories: ଜାତୀୟ

ଆମରଣ ଅନଶନରେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବିରୋଧରେ ପୂରା ଦେଶ ସ୍ବର ଉତ୍ତୋଳନ କରିଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଦିଲ୍ଲୀର ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଆମରଣ ଅନଶନରେ ବସିଛନ୍ତି। ମଙ୍ଗଳବାରଠାରୁ ଜନ୍ତରମନ୍ତରଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେ ଅନଶନରେ ବସିଛନ୍ତି। ଅନଶନ ପୂର୍ବରୁ ପ୍ରଥମେ ସେ ରାଜଘାଟର ଗାନ୍ଧୀ ସମାଧିସ୍ଥଳକୁ ଗସ୍ତ କରିଥିଲେ। ଏହାପରେ ସେ ଅନଶନରେ ବସିଥିଲେ। ପୂର୍ବରୁ ତାଙ୍କୁ ଅନଶନରେ ବସିବା ପାଇଁ ପୋଲିସ ଅନୁମତି ଦେଉନାହିଁ ବୋଲି ଅଭିଯୋଗ କରିଥିଲେ। ଅପରପକ୍ଷରେ ସ୍ବାତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ୬ମାସ ଭିତରେ ବଳାତ୍କାରୀଙ୍କୁ ଫାଶୀ ନ ମିଳିବା ପର୍ଯ୍ୟନ୍ତ ସେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସଙ୍କୁ ୬୬,୦୦୦ ପୋଲିସ କର୍ମଚାରୀ ଦିଆଯିବା ସହ ତୁରନ୍ତ ୪୫ଫାଷ୍ଟ ଟ୍ରାକ୍‌ କୋର୍ଟ ସ୍ଥାପିତ କରିବା ପାଇଁ ସେ ଦାବି କରିଛନ୍ତି। ଏଥିସହ ଯେକୌଣସିମତେ ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।

Share