Categories: ବାଣିଜ୍ୟ

ଆମାଜନରୁ କିଣିହେବ ଫାଷ୍ଟାଗ୍‌

ନୂଆଦିଲ୍ଲୀ,୩୧-୫: ଫାଷ୍ଟାଗ୍‌ ଏବେ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଉପଲବ୍ଧ ହେବ। ଟୋଲ ପ୍ଲାଜାଗୁଡ଼ିକରେ ଟୋଲ୍‌ ଟିକସ ଦେବା ସମୟରେ ଲମ୍ବା ଲାଇନର ସମ୍ମୁଖୀନ ହେଉଥିବା ଗାଡ଼ିଗୁଡ଼ିକ ପାଇଁ ଫାଷ୍ଟାଗ୍‌ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଷ୍ଟ୍ରୀୟ ହାଇଓ୍ବେଜ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ)ର ନିଷ୍ପତ୍ତି ଅନୁଯାୟୀ ଇଲେକ୍ଟ୍ରୋନିକ ମାଧ୍ୟମରେ ଟୋଲ ଟିକସ ଦେବା ଲାଗି ଫାଷ୍ଟାଗ୍‌ ବ୍ୟବସ୍ଥା ଆପଣାଯାଉଛି। ଫାଷ୍ଟାଗ୍‌ ସହାୟତାରେ ଗାଡ଼ି ଚାଳକ ଟୋଲ୍‌ ପ୍ଲାଜାରେ ବିନା ବାଧାରେ ନିଜର ଟିକସ ଦେଇପାରିବେ। ଏବେ ଏନ୍‌ଏଚ୍‌ଏଆଇ ଫାଷ୍ଟାଗ୍‌ କାର୍‌, ଜିପ୍‌ ଓ ଭ୍ୟାନ ଲାଗି ମଧ୍ୟ ଉପଲବ୍ଧ ହେବ। ସୂଚନାଯୋଗ୍ୟ ଯେ, ଫାଷ୍ଟାଗ୍‌କୁ ଗାଡ଼ିର ସାମ୍ନା କାଚରେ ଲଗାଯାଇଥାଏ। ଏଥିରେ ରେଡିଓ ଫ୍ରିକ୍ୱୋନ୍ସି ଅର୍ଥାତ୍‌ ଆର୍‌ଏଫ୍‌ଆଇଡି ଲଗାଯାଇଛି, ଯାହା ମାଧ୍ୟମରେ ଟୋଲ୍‌ ପ୍ଲାଜାରେ ଲାଗିଥିବା ସେନ୍‌ସର ଫାଷ୍ଟାଗ୍‌ ଆକାଉଣ୍ଟରୁ ଟୋଲ୍‌ ଟିକସ କାଟିନେଇଥାଏ। ଫାଷ୍ଟାଗ୍‌ ଆକାଉଣ୍ଟରୁ ଟୋଲ୍‌ ଟିକସ କଟିବା ମାତ୍ରେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ ଏସ୍‌ଏମ୍‌ଏସ୍‌ ଆସେ। ଏହାଦ୍ୱାରା କେତେ ଟଙ୍କା କଟିଲା ସହଜରେ ଜାଣି ହେବ। ଏଭଳି ଭାବେ କୌଣସି ଗାଡ଼ି ନ ରୋକି ଟୋଲ୍‌ ଟିକସ ଦେଇ ସହଜରେ ଯାଇପାରିବ। ଗୋଟିଏ ଫାଷ୍ଟାଗ୍‌ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ।

Share