ପୁରୀ ଅଫିସ୍.୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ୍ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା ଶନିବାର ସକାଳେ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ସକାଳ ୭ଟା ୧୦ରେ ଉଭୟ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଜିଲାପାଳ ବଲବନ୍ତ ସିଂହ, ଡିଆଇଜି ଆଶିଷ ସିଂହ, ଏସ୍ପି ଉମାଶଙ୍କର ଦାସ ପ୍ରମୁଖ ମହାପ୍ରଭୁଙ୍କ ଖଣ୍ଡୁଆ ଓ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେମାନେ ଶ୍ରୀମନ୍ଦିରକୁ ଯାଇ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢ଼ା ପରିସରରେ ଥିବା ବିଭିନ୍ନ ମନ୍ଦିର ପରିଦର୍ଶନ କରିଛନ୍ତି। ଏଥିସହ ଆନନ୍ଦବଜାର, କୋଇଲି ବୈକୁଣ୍ଠ, ଉପବନ, ସାହାଣୀ ମଣ୍ଡପ, ସ୍ନାନବେଦୀ ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ପ୍ରାୟ ଦେଢ଼ଘଣ୍ଟା ମନ୍ଦିର ଭିତରେ ରହିବା ପରେ ଆମିକସ୍ କ୍ୟୁରି ଫେରିଛନ୍ତି। ୭୫ମିଟର ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ରୁଜୁ ପରେ ସେମାନେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଲାଗି ପୁରୀ ଆସିଛନ୍ତି। ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟରେ ତାଙ୍କର ରିପୋର୍ଟ ଦାଖଲ କରିବେ।