Categories: ଖେଳ

ଆମେଚର ଇଭେଣ୍ଟରେ ପେସାଦାର ବକ୍ସରଙ୍କୁ ଅନୁମତି

ନୂଆଦିଲ୍ଲୀ,୩୧।୮(ପି.ଟି.)- ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି। ଘରୋଇ ଆମେଚର ଇଭେଣ୍ଟରେ ପେସାଦାର ବକ୍ସରଙ୍କୁ ଅଂଶଗ୍ରହଣ କରିବା ପାଇଁ ତତ୍କାଳ ନିର୍ଦ୍ଦେଶ ଦେଇଛି। ଗୁରୁବାର ଅନୁଷ୍ଠିତ ବିଏଫ୍‌ଆଇ କାର୍ଯ୍ୟକାରୀ କମିଟି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଯଥାଶୀଘ୍ର ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଅକ୍ଟୋବରରେ ପୁରୁଷ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମହିଳା ଇଭେଣ୍ଟ ମଧ୍ୟ ଆୟୋଜନ କରାଯିବ। ପ୍ରଥମଥର ପାଇଁ ଏହି ଦୁଇଟି ଇଭେଣ୍ଟରେ ପେସାଦାର ବକ୍ସର ଅଂଶଗ୍ରହଣ କରିବା ନେଇ ପଥ ପରିଷ୍କାର ହୋଇଛି। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଆଇ) ପେସାଦାର ବକ୍ସରଙ୍କୁ ଆମେଚର ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ଦେଉଥିବା ବେଳେ ବିଏଫ୍‌ଆଇ ମଧ୍ୟ ଏଭଳି କରିବାର ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରିଛି। ଏନେଇ ବିଏଫ୍‌ଆଇ ସାଧାରଣ ସମ୍ପାଦକ ଜୟ କୋଓ୍ବଲି ଅନୁମତି ପ୍ରଦାନ କରିଛନ୍ତି। ତେବେ ଅଣସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହେଉଥିବା ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ବକ୍ସରଙ୍କୁ ଏଭଳି ଅନୁମତି ପ୍ରଦାନ କରାଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି। ବିଏଫ୍‌ଆଇର ଏହି ନିଷ୍ପତ୍ତି ପେସାଦାର ବକ୍ସରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।
ଭାରତୀୟ ତାରକା ବକ୍ସର ବିଜେନ୍ଦର ସିଂ ପେସାଦାର ବକ୍ସିଂରେ ପୂର୍ବରୁ ସାମିଲ ହୋଇଛନ୍ତି ଓ ସେ ୟୁଏସ୍‌ ସର୍କିଟର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ବିଏଫ୍‌ଆଇର ଏହି ନିଷ୍ପତ୍ତି ସତ୍ତ୍ୱେ ସେ ଆମେଚର ବକ୍ସିଂଙ୍କୁ ପ୍ରତ୍ୟାବର୍ତ୍ତନ କରିବା ଭଳି ମନେ ହେଉନାହିଁ। ଉଲ୍ଲେଖଥାଉ କି, ଏଆଇବିଏ ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ପେସାଦାର ବକ୍ସରଙ୍କୁ ଅନୁମତି ଦେଇଥିଲା। ଏପରି କି ଏକ କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ କରିଥିଲା। ବିଏଫ୍‌ଆଇର ଏହି ନିଷ୍ପତ୍ତି ପୂର୍ବରୁ ପେସାଦାର ବକ୍ସରଙ୍କ ଆମେଚର ଷ୍ଟାଟସ ନେଇ କୌଣସି ସ୍ପଷ୍ଟତା ନ ଥିଲା।

Share