ଆମେରିକାକୁ ଘାରିଛି କରୋନା ଭ୍ୟାକ୍ସିନ ଫର୍ମୁଲା ଚୋରି ହେବାର ଭୟ !

ଓ୍ବାଶିଂଟନ,୧।୫: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏବେ ଏହି ସଂକ୍ରମଣରେ ବିଶ୍ୱରେ ପାଖାପାଖି ୨ ଲକ୍ଷ ୩୩ ହଜାର ଲୋକଙ୍କ ଜୀବନ ଗଲାଣି। ଏହାର କାରଣ ହେଉଛି କରୋନା ମହାମାରୀର ଚିକିତ୍ସା ପାଇଁ କୌଣସି ସଠିକ୍‌ ଔଷଧ ଏପର୍ଯ୍ୟନ୍ତ ବାହାରି ପାରି ନାହିଁ। ଏହାକୁ ନେଇ ଏବେ ସାରା ବିଶ୍ୱ କରୋନା ଭାଇରସର ପ୍ରତିକାର ପାଇଁ ଭ୍ୟାକ୍ସିନ ତିଆରି କାମରେ ଲାଗି ପଡିଛନ୍ତି। ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ଦେଶକୁ ସଫଳତା ମିଳି ନ ଥିବା ବେଳେ ଏବେ ଆମେରିକା ଭ୍ୟାକ୍ସିନ ପ୍ରସ୍ତୁତ ହେବାର ଫର୍ମୁଲା ଚୋରି ହୋଇପାରେ ବୋଲି ଅନୁମାନ କରୁଛି। ବିବିସିକୁ ଆମେରିକାର ଜଣେ ଗୁଇନ୍ଦା ଅଧିକାରୀ ଏହି ସୂଚନା ଦେଇଥିବା କୁହାଯାଉଛି। କରୋନା ଭ୍ୟାକ୍ସିନର ଫର୍ମୁଲା ଉପରେ ବିଦେଶୀ ସାଇବର ଗୁପ୍ତଚରଙ୍କ ନଜର ୨୪ ଘଣ୍ଟା ରହିଛି ବୋଲି ଆମେରିକା କହୁଛି। ନ୍ୟାଶନାଲ କାଉଣ୍ଟରଇଣ୍ଟଲିଜେନ୍ସ ଆଣ୍ଡ ସିକ୍ୟୁରିଟି ସେଣ୍ଟରର ନିର୍ଦ୍ଦେଶକ ବିଲ ଇଓ୍ବାନିନାଙ୍କ ମତରେ ଆମେରିକା ସରକାର ରିସର୍ଚ୍ଚ କରୁଥିବା ସଂସ୍ଥାକୁ ସତର୍କ ରହିବାକୁ କହିଥିବା ଜଣାପଡିଛି। ବ୍ରିଟେନର ସୁରକ୍ଷା ଏଜେନ୍ସି ମଧ୍ୟ କରୋନା ଭ୍ୟାକ୍ସିନ ପ୍ରସ୍ତୁତ ହେବାର ଫର୍ମୁଲା ଚୋରି ହୋଇପାରେ ବୋଲି ଅନୁମାନ କରୁଛି। ସୂଚନାଯୋଗ୍ୟ, ଏବେ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଭ୍ୟାକ୍ସିନ ପ୍ରସ୍ତୁତ କାମରେ ଲାଗିପଡିଛନ୍ତି ଆମେରିକାର ବିଶେଷଜ୍ଞ।

Share