Categories: ବାଣିଜ୍ୟ

ଆମେରିକାରୁ ଆମଦାନୀ ହେବ ବାର୍ଷିକ ୫୦ ଲକ୍ଷ ଟନ ଏଲ୍‌ଏନ୍‌ଜି

ହ୍ୟୁଷ୍ଟନ,୨୩-୯: ଆମେରିକାର ପ୍ରାକୃତିକ ଗ୍ୟାସ୍‌ ଯୋଗାଣକାରୀ କମ୍ପାନୀ ଟେଲ୍ୟୁରିୟନ ଇଙ୍କ୍‌ ଓ ଭାରତର ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି କମ୍ପାନୀ ଲିମିଟେଡ ମଧ୍ୟରେ ରବିବାର ଏକ ମେମୋରାଣ୍ଡମ ଅଫ୍‌ ଅଣ୍ଡରଷ୍ଟାଣ୍ଡିଂ(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ତଦନୁଯାୟୀ ପେଟ୍ରୋନେଟ୍‌ ଓ ଏହାର ସହଯୋଗୀ କମ୍ପାନୀ ଆମେରିକାରୁ ବାର୍ଷିକ ୫୦ ଲକ୍ଷ ଟନ ତରଳୀକୃତ ପ୍ରାକୃତିକ ଗ୍ୟାସ୍‌(ଏଲ୍‌ଏନ୍‌ଜି) ଆମଦାନୀ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ପ୍ରାୟ ୧୮ ହଜାର କୋଟି ଟଙ୍କା(୨.୫୦ ବିଲିୟନ ଡଲାର) ବିନିମୟରେ ଏହି ଗ୍ୟାସ୍‌ କିଣାବିକା ହେବାକୁ ଯାଉଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଏମ୍‌ଓୟୁକୁ ଚୂଡ଼ାନ୍ତ ରୂପ ଦେବା ଲାଗି ଦୁଇ କମ୍ପାନୀ ରାଜି ହୋଇଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶୀର୍ଷ ପେଟ୍ରୋଲିୟମ କମ୍ପାନୀଙ୍କ ମୁଖ୍ୟମାନଙ୍କ ବୈଠକ ପରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ପରେ ଟେଲ୍ୟୁରିୟନ ପକ୍ଷରୁ ଏହାର ଅଧ୍ୟକ୍ଷ ତଥା ସିଇଓ ମ୍ୟାଗ୍‌ ଜେଣ୍ଟଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ତାଙ୍କ ଉପସ୍ଥିତିରେ ଏହି ସ୍ବାକ୍ଷର କମ୍ପାନୀ ପାଇଁ ଏକ ସମ୍ମାନ ମିଳିବା ସଦୃଶ ହୋଇଛି। ଉଲ୍ଲେଖଥାଉ କି, ପେଟ୍ରୋନେଟ୍‌ ଭାରତର ସର୍ବବୃହତ ଏଲ୍‌ଏନ୍‌ଜି ଆମଦାନୀକାରୀ ଭାବେ ପରିଗଣିତ। ଏହି ଏମ୍‌ଓୟୁ ମାଧ୍ୟମରେ କମ୍ପାନୀ ଡ୍ରିଫ୍ଟଉଡ ଜରିଆରେ ସ୍ବଚ୍ଛ ତଥା କମ୍‌ ମୂଲ୍ୟର ଉନ୍ନତ ପ୍ରାକୃତିକ ଗ୍ୟାସ୍‌କୁ ଭାରତକୁ ଆମଦାନୀ କରିପାରିବ। ଜେଣ୍ଟଲ କହିଛନ୍ତି ଯେ, ଭାରତରେ ପ୍ରାକୃତିକ ଗ୍ୟାସ୍‌ ବ୍ୟବହାର ବୃଦ୍ଧି ଯୋଗୁ ଦେଶ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ କରି ପାରିବାର ଲକ୍ଷ୍ୟକୁ ପୂରଣ କରିପାରିବ। ଏଥିସହିତ ଦେଶରେ ସ୍ବଚ୍ଛ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି।

Share