Advertisement

ଆମେରିକାରେ ଖାଦ୍ୟ ସଙ୍କଟ: କରୋନା ସଂକ୍ରମଣ ଯୋଗୁ କୋଟିଏ ୭୦ ଲକ୍ଷ ଭୋକିଲା

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଦେଶର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଛି। ସେହିପରି ଲକ୍‌ଡାଉନ୍‌ ଯୋଗୁ ବେରୋଜଗାର ହୋଇ ଲୋକେ ଖାଦ୍ୟ ଅଭାବରୁ ଭୋକିଲା ରହୁଛନ୍ତି। ଗତ ୨ ମାସ ଧରି ଏଠାରେ ଖାଦ୍ୟ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଆମେରିକାର ସାଢ଼େ ୫ କୋଟି ଲୋକଙ୍କ ପାଖରେ ଖାଇବା ପାଇଁ ଖାଦ୍ୟ ନାହିଁ। ସେଥିମଧ୍ୟରୁ କେବଳ କରୋନା ସଂକ୍ରମଣ ଯୋଗୁ କୋଟିଏ ୭୦ ଲକ୍ଷରୁ ଅଧିକ ଲୋକ ଖାଦ୍ୟ ଅଭାବରୁ ଭୋକିଲା ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୪୬ ପ୍ରତିଶତରେ ପହଞ୍ଚିଛି। ରାଷ୍ଟ୍ରୀୟ ସଂଗଠନ ଫିଡ୍‌ ପକ୍ଷରୁ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବା ଲାଗି ୨ ଲକ୍ଷ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ଦିନରାତି ଭୋକିଲାଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ୬୦ ହଜାର ଏଜେନ୍ସି ସହାୟତାରେ ଏହା ଜାରି ରହିଥିବା ଫିଡ୍‌ ପକ୍ଷରୁ କୁହାଯାଇଛି। ସେହିପରି ଫୁଡ୍‌ ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ତେବେ ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share