ଆମେରିକାରେ ଛୋଟ ସହର ସହିତ ଗ୍ରାମାଞ୍ଚଳରେ ବ୍ୟାପିଲା କରୋନା: ସେପ୍ଟେମ୍ବର ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ଛୁଇଁବା ଆଶଙ୍କା

ଓ୍ବାଶିଂଟନ,୧୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏବେ ଏହି ମହାମାରୀ ଏଠାରେ ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ଧୀରେଧୀରେ କରୋନା ସଂକ୍ରମଣ ଛୋଟ ସହର ସହିତ ଗ୍ରାମାଞ୍ଚଳରେ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ରୋକିବାରେ ସରକାରଙ୍କ ସମସ୍ତ ଉଦ୍ୟମ ଅସଫଳ ହେଉଛି। ସମ୍ପ୍ରତି ଦେଶରେ ୭ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଥିବାବେଳେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଛି। ପ୍ରତିଦିନ ଦେଶରେ ୧୮୦୦ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ଏପ୍ରିଲ୍‌ ୭ ଠାରୁ ଏହା ଜାରି ରହିଛି। ଏହି ମୃତ୍ୟୁ ହାର ଦେଶରେ ହାର୍ଟ ଏବଂ କ୍ୟାନସର ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟାକୁ ଟପିଯାଇଥିବା କୁହାଯାଉଛି। ଆମେରିକାରେ ପ୍ରତିଦିନ ହାର୍ଟ ସମସ୍ୟା ଯୋଗୁ ୧୭୭୪ ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ କ୍ୟାନସରରେ ୧୬୪୧ ଲୋକଙ୍କ ମୃତ୍ୟୁ ଘଟିଥାଏ ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସ୍ଥିତି ଉପରେ ନିୟନ୍ତ୍ରଣରେ ନ ଆସିଲେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ଛୁଇଁବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ତେବେ ସ୍ଥିତିରେ ଶୀଘ୍ର ପରିବର୍ତ୍ତନ ଆସିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। କରୋନା ନେଇ ଭୟ ନ କରିବାକୁ ସେ ଦେଶବାସୀଙ୍କୁ କହିଛନ୍ତି।

Share