ଆମେରିକାରେ ଜାତୀୟ ଜରୁରୀ ସ୍ଥିତି

ଓ୍ବାଶିଂଟନ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୫୪୦୦ ଟପିଥିବାବେଳେ ପାଖାପାଖି ଦେଢ଼ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଲେଣି। ଏହା ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଆଣିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ନେଇ ଦେଶରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ଏଥିସହିତ କରୋନା ମୁକାବିଲା ପାଇଁ ସେ ୫୦ ବିଲିୟନ ଡଲାର ପାଣ୍ଠି ମଞ୍ଜୁର କରିଛନ୍ତି। ଚାଇନାରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ୟୁରୋପରେ କାୟାବିସ୍ତାର କରିଚାଲିଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିସାରିଛି। ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୪୬ଟି କରୋନା ପ୍ରଭାବିତ ହୋଇଥିବାବେଳେ ୨୦୦୦ ଆକ୍ରାନ୍ତ ହୋଇଛନ୍ତି। ସେଠାରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚତ୍ଛି। ଆଗାମୀ ୮ ସପ୍ତାହରେ ଏହା ଆହୁରି ବିପଜ୍ଜନକ ହୋଇପାରେ ବୋଲି ଏକ ଖବରଦାତା ସମ୍ମିଳନୀରେ ଟ୍ରମ୍ପ୍‌ କହିଛନ୍ତି। ଏହାର ମୁକାବିଲା ଲାଗି ସଂଘୀୟ ସରକାର ପୂରା ଦମ୍‌ରେ କାର୍ଯ୍ୟ କରିବେ। ଏଥିପାଇଁ ସରକାରୀ ଭାବେ ଏହାକୁ ଜାତୀୟ ଜରୁରୀ ସ୍ଥିତି ଜାରି କରାଗଲା ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ତଥାପି ସେ କରୋନା ପାଇଁ ନିଜର ପରୀକ୍ଷା କରାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ପରୀକ୍ଷାର ରିପୋର୍ଟ ଆସିନାହିଁ।

Share