Categories: ଖେଳ

ଆମେରିକାରେ ପ୍ରଶିକ୍ଷଣ ନେବେ ଜିନ୍‌ସନ ଜନ୍‌ସନ

ଚେନ୍ନାଇ,୨୪।୮(ପି.ଟି.)- ଭାରତୀୟ ମିଡଲ ଡିଷ୍ଟାନ୍ସ ରନର ଜିନସନ ଜନସନ ଶୁକ୍ରବାର ଆମେରିକାରେ ପ୍ରଶିକ୍ଷଣ ନେବେ ବୋଲି କହିଛନ୍ତି। ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଫଳରେ ଟାଇମିଂରେ ଉନ୍ନତି ଆଣିବାକୁ ଆମେରିକାରେ ସେ କୋଚ୍‌ ସ୍କଟ୍‌ ସିମ୍ମନ୍ସଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଓ ଏସୀୟ ସ୍ତରରେ ମୋ ଟାଇମିଂ ଠିକ୍‌ ରହିଛି। ତେବେ ବିଶ୍ୱସ୍ତରୀୟ ଇଭେଣ୍ଟଗୁଡିକରେ ଟାଇମିଂରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛି। ଅଲିମ୍ପିକ କ୍ୱାଲିଫାଏ କରିବା ପାଇଁ ସେ ୧,୫୦୦ ମିଟର ଦୌଡରେ ସେ ନିଜର ଜାତୀୟ ରେକର୍ଡ ୩:୩୭.୬୨କୁ ଭାଙ୍ଗିବାର ଜରୁରୀ ହୋଇପଡିଛି। ସେପ୍ଟେମ୍ବର ୧ ତାରିଖରେ ସେ ଜର୍ମାନୀରେ ଏକ ଆମନ୍ତ୍ରଣୀୟ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଏହାପରେ ସେ ଆମେରିକା ଯାତ୍ରା କରିବେ।
୧, ୫୦୦ମି. ଦୌଡ଼ ପାଇଁ ଟୋକିଓ ଅଲିମ୍ପିକ୍ସର କ୍ୱାଲିଫିକେଶନ ମାର୍କ ୩:୩୫.୦୦ ରହିଛି। କଲରୋଡାରେ ପ୍ରଶିକ୍ଷଣ ପରେ ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି କୋଝିକୋଡର ଏହି ୨୮ ବର୍ଷୀୟ ଆଥଲେଟ୍‌ ଜନସନ କହିଛନ୍ତି। ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନରୁ ମୋତେ ୨.୫ ସେକେଣ୍ଡ ଟାଇମ୍‌ କଟ୍‌ କରିବାକୁ ପଡିବ। ଅଲିମ୍ପିକ୍‌ କ୍ୱାଲିଫାଏ କରିବା ନେଇ ମୋର ଆତ୍ମବିଶ୍ୱାସ ରହିଛି। ଗତ ଏସିଆନ ଗେମ୍ସରେ ଜନସନ୍‌ ୧,୫୦୦ ମିଟର ରେସ୍‌ରେ ୩:୪୪.୭୨ ଟାଇମିଂରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଇତିମଧ୍ୟରେ ମାରାଥନ ରନର ଗୋପୀ ଥୋନାକାଲ ଦୋହା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଥରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରିଲେ ପରବର୍ତ୍ତୀ ଯୋଜନା ସ୍ଥିର କରିବି ବୋଲି ଗୋପୀ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ହେଲେ ତାଙ୍କୁ ଶିବନାଥ ସିଂଙ୍କ ଦୀର୍ଘଦିନର ରେକର୍ଡ (୨: ୧୨:୦୦ ସେକେଣ୍ଡ)କୁ ଅତିକ୍ରମ କରିବାକୁ ପଡିବ ଓ ସେ ମଧ୍ୟ ଏ ନେଇ ଅବଗତ ଅଛନ୍ତି।

Share