ଆମେରିକାରେ ଭାରତୀୟଙ୍କ ଦେବଦୂତ ସାଜିଛନ୍ତି ପ୍ରମିତ

ଓ୍ବାଶିଂଟନ,୨୪।୩: ଆମେରିକାର ଇଣ୍ଡୋୟୁଏସ୍‌ ହେଲ୍‌ଥ ଇନିସିଏଟିଭର କୋ-ଫାଉଣ୍ଡର ଭାରତୀୟ ମୂଳ ବାସିନ୍ଦା ପ୍ରମିତ ମାକୋଡେ ଆମେରିକାର କରୋନା ସହ ଲଢୁଥିବା ଭାରତୀୟଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଇନ୍ଦୋରର ଏହି ମୂଳ ବାସିନ୍ଦା ଆମେରିକାର ବୋଷ୍ଟନରେ କିଛି ବର୍ଷ ହେବ ରହି ଆସୁଛନ୍ତି। ସେଠାରେ ଥିବା କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ସେ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ତେବେ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ(ସିଏସ୍‌ଆଇ) ଉତ୍ତର ଆମେରିକାରେ ଥିବା ଭାରତୀୟଙ୍କୁ ସାହାଯ୍ୟର ହାତ ବଢାଉଛି। ବିଶେଷକରି ଆଇଟି ସେକଟରରେ କାମ କରୁଥିବା ଲୋକଙ୍କ ପାଇଁ ଏବେ ସିଏସ୍‌ଆଇ ଦେବଦୂତ ସାଜିଛି ବୋଲି କୁହାଯାଉଛି। ସିଏସ୍‌ଆଇ ଦ୍ୱାରା ଉତ୍ତର ଆମେରିକାରେ ଥିବା ଭାରତୀୟ ହୋଟେଲ ଗୁଡିକର ମାଲିକଙ୍କୁ ସହାୟତା ମାଗିଛି। ଉତ୍ତର ଆମେରିକାରେ କରୋନା ଭାଇରସ ଯୋଗୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହି ହୋଟେଲ ମାଲିକମାନେ ନିଜ ନିଜ ହୋଟେଲରେ ଭାରତୀୟଙ୍କୁ ରହିବାକୁ ସୁଯୋଗ ଦେବା ସହ ସେମାନଙ୍କର ଖାଦ୍ୟପାନୀୟ ବ୍ୟବସ୍ଥା କରିଥିବା ଜଣାପଡିଛି। ଏଠାରେ ରହୁଥିବା ଭାରତୀୟ ସେମାନଙ୍କ ପରିଜନଙ୍କ ସହ ସମ୍ପର୍କ କରିବା ପାଇଁ ଏକ ହେଲ୍‌ପ ଲାଇନ୍‌ ନମ୍ବର ଓ ମେଲ୍‌ ଆଇଡି ମଧ୍ୟ ଜାରି କରାଯାଇଛି। ଏ କ୍ଷେତ୍ରରେ ସହଯୋଗ କରିଥିବାରୁ ହୋଟେଲ ମାଲିକ, ଭାରତୀୟ ଦୂତାବାସକୁ ସିଏସ୍‌ଆଇ ଧନ୍ୟବାଦ ଜଣାଇଛି। ବିଶେଷ କରି ଏଥିରେ କାମ କରୁଥିବା ପ୍ରମିତ ମାକୋଡେକ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିବା ଜଣାପଡିଛି।

Share