Advertisement

ଆମେରିକାରେ ହିଂସା ଜାରି: ୨୩ ରାଜ୍ୟରେ ୧୭ ହଜାର ସୈନ୍ୟ ମୁତୟନ

ୱାଶିଂଟନ,୩।୬: ଆମେରିକାର ମିନେପୋଲିସ୍‌ ସହରରେ ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ହେବା ପରେ ସାରା ଦେଶରେ ପ୍ରତିବାଦ ନିଆଁ ଜଳୁଛି। ଜର୍ଜ ଫ୍ଲୋୟଡ୍‌ ନାମକ କୃଷ୍ଣକାୟ ବ୍ୟକ୍ତିଙ୍କୁ ଜଣେ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ରଖି ମାରିଦେବାର ଭିଡିଓ ଭାଇରାଲ ହେବା ପରେ ହିଂସା କ୍ରମଶଃ ଉଗ୍ର ରୂପ ଧାରଣ କରିଛି। ସମ୍ପୃକ୍ତ ପୋଲିସ ଅଧିକାରୀ ଏବଂ ତାଙ୍କୁ ସହାୟତା କରିଥିବା ପୋଲିସ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ୪୦ଟି ସହରରେ ଆନ୍ଦୋଳନ ପହଞ୍ଚିଛି। ହିଂସାକୁ ଦୃଷ୍ଟିରେ ରଖି ୨୩ଟି ରାଜ୍ୟରେ ୧୭ ହଜାର ସୈନ୍ୟ ମୁତୟନ କରାଯାଇଛି। ଏହାରି ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଜର୍ଜ ଫ୍ଲୋୟଡ୍‌ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। କିନ୍ତୁ ଆନ୍ଦୋଳନକାରୀ ଯେପରି ଭାବେ ହିଂସା ଘଟାଉଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ।  ଆନ୍ଦୋଳନକାରୀ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରନ୍ତୁ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ମୁଁ ମଧ୍ୟ ସମର୍ଥନ କରେ। ଆନ୍ଦୋଳନକାରୀ ଆନ୍ଦୋଳନ ବେଳେ ହିଂସାର ପଥ ଆପଣାଉଛନ୍ତି। ଯାହା ଫଳରେ ଦେଶର ସାଧାରଣ ନାଗରିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share