ଓ୍ବାଶିଂଟନ,୧ା୧୦: ଆମେରିକାରେ ଗ୍ରୀଷ୍ମଋତୁ ଶେଷ ହେବାର ସପ୍ତାହେ ପରେ ସେଠାରେ ପ୍ରବଳ ତୁଷାର ଝଡ଼ ହୋଇଛି। ପଶ୍ଚିମାଞ୍ଚଳରେ ରବିବାର ରେକର୍ଡ ପରିମାଣର ୩ ଫୁଟ୍ ଉଚ୍ଚରେ ତୁଷାର ଜମିବା ସହ ପ୍ରବଳ ଶୀତ ଅନୁଭୂତ ହୋଇଛି। ଶୀତଋତୁ ଆରମ୍ଭରୁ ଏଭଳି ତୁଷାରପାତ ହେବା ପ୍ରଥମ ଘଟଣା। କାଲିଫର୍ନିଆ, ଓରେଗନ୍, ଓ୍ବାଶିଂଟନ, ମୋଣ୍ଟାନା, ଇଡାହୋ, ନେଭାଡା, ଉଟାହ ଆଦି ଅଞ୍ଚଳରେ ତୁଷାରପାତ ଯୋଗୁ ତାପମାତ୍ରା ସ୍ବାଭାବିକଠାରୁ ୩୦ ଡିଗ୍ରୀ ତଳେ ରହିଛି। ସେପ୍ଟେମ୍ବରରେ ଏଭଳି ଅଭୂତପୂର୍ବ ତୁଷାର ଝଡ଼ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ମୋଣ୍ଟାନା ଗଭର୍ନର ଷ୍ଟିଭ୍ ବୁଲକ କହିଛନ୍ତି। ପ୍ରବଳ ବେଗରେ ପବନ ବହିବାରୁ ବହୁ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିବା ଯୋଗୁ ରାସ୍ତା ଅବରୋଧ ହେବା ସହ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ବ୍ରାଉନିଂ ଟାଉନର ଗ୍ଲାସିୟର ପାର୍କ ନିକଟରେ ୪୦ ଲଞ୍ଚ ଉଚ୍ଚର ବରଫ ପଡିଥିବା ଦେଖାଯାଇଛି।