ଆମେରିକାର ପ୍ରଥମ କରୋନା ମୃତକଙ୍କ ହୃତ୍‌ପିଣ୍ଡ ଫାଟିଯାଇଥିଲା

ନ୍ୟୁୟର୍କ,୩୦ା୪: ମହାମାରୀ କରୋନାର ସର୍ବାଧିକ ପ୍ରକୋପ ଆମେରିକାରେ ଦେଖିବାକୁ ମିଳୁଛି। ଅଦ୍ୟାବଧି ଦେଶରେ ପ୍ରାୟ ସାଢ଼େ ୧୦ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୬୦ହଜାରରୁ ଊର୍ଦ୍ଧ୍ୱ ଆମେରିକୀୟଙ୍କ ଜୀବନ ଗଲାଣି। ହେଲେ ଆମେରିକାର ପ୍ରଥମ କରୋନା ମୃତ୍ୟୁ ହୃତ୍‌ପିଣ୍ଡ ଫାଟିଯିବା ଯୋଗୁ ଘଟିଥିବା ନେଇ ଏକ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ‘ଦ ମର୍କୁରି ନ୍ୟୁଜ୍‌’ରେ ପ୍ରକାଶିତ ଖବର ଅନୁଯାୟୀ, କାଲିଫର୍ନିଆର ସାନ୍‌ ଜୋସ୍‌ ସହରର ପାଟ୍ରିସିଆ ଦାଉଦ(୫୭) ଫ୍ଲୁରେ ପୀଡ଼ିତ ଥିବାବେଳେ ହୃଦ୍‌ଘାତଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ଗତ ଫେବୃୟାରୀ ୬ରେ ନିଜ ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ତାଙ୍କ ମୃତ୍ୟୁ ହୃଦ୍‌ଘାତଜନିତ ବୋଲି ସମସ୍ତେ ଭାବିଥିଲେ। ହେଲେ ନିୟମିତ ବ୍ୟାୟମ କରିବା ସହ ଭଲ ସ୍ବାସ୍ଥ୍ୟ ଥିବାରୁ ଦାଉଦ୍‌ଙ୍କର ହୃଦ୍‌ଘାତରେ ମୃତ୍ୟୁ ହେବା କଥାକୁ ତାଙ୍କ ସ୍ବାମୀ ସହଜରେ ଗ୍ରହଣ କରିପାରି ନ ଥିଲେ। ଅନ୍ୟପକ୍ଷରେ ସେତେବେଳେ କାଲିଫର୍ନିଆରେ କରୋନା ମହାମାରୀର ସଂକ୍ରମଣ ଦେଖିବାକୁ ମିଳିସାରିଥିଲା। ତେଣୁ ଦାଉଦଙ୍କ ସ୍ବାମୀ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ଟେଷ୍ଟ କରାଯିବା ପରେ ଦାଉଦ୍‌ କରୋନା ସଂକ୍ରମିତ ଥିଲେ ବୋଲି ଜଣାପଡ଼ିଥିଲା। ତଦନୁଯାୟୀ ଏହାକୁ ଆମେରିକାର ପ୍ରଥମ କରୋନା ମୃତ୍ୟୁ ଭାବେ ଗଣତି କରାଯାଇଥିଲା।
ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ସୀମକ୍ଷା କରି ଫୋରେନସିକ୍‌ ପାଥୋଲୋଜିଷ୍ଟ ଜୁଡି ମେଲିନେକ୍‌ କହିଛନ୍ତି ଯେ, ରୋଗ ପ୍ରତିରୋଧକ ଶକ୍ତି ଏହି ଭୂତାଣୁ ଉପରେ ଆକ୍ରମଣ କରୁଥିଲା। ଭୂତାଣୁକୁ ଆକ୍ରମଣ କରିବା ଦ୍ୱାରା ତାହା ହୃତ୍‌ପିଣ୍ଡକୁ କ୍ଷତି ପହଞ୍ଚାଇଥିଲା। ମାଂସପେଶୀ ସଂକ୍ରମିତ ହୋଇଥିଲା। ଫଳରେ ହୃତ୍‌ପିଣ୍ଡ ଫାଟିଯାଇଥିଲା ବୋଲି ମେଲିନେକ୍‌ କହିଛନ୍ତି।
କାଲିଫର୍ନିଆର ସାନ୍ତା କ୍ଲାରା କଣ୍ଟ୍ରିରେ ଦାଉଦଙ୍କ ମୃତ୍ୟୁ ପରେ ଫେବୃୟାରୀ ୧୭ ଏବଂ ମାର୍ଚ୍ଚ ୬ରେ ଆଉ ୨ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଏହି ୩ ମୃତ୍ୟୁ ସେହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଯୋଗୁ ହୋଇଥାଇପାରେ ବୋଲି କୁହାଯାଉଛି। ସାନ୍ତା କ୍ଲାରା କଣ୍ଟ୍ରିର ସ୍ବାସ୍ଥ୍ୟ ଅଧିକାରୀ ଡା. ସାରା କୋଡି କହିଛନ୍ତି ଯେ, ଏହି ୩ଜଣଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥିଲା। ତେଣୁ ଆମେ ଭାବୁଛି ଯେ, ସେମାନେ ଗୋଷ୍ଠୀ ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ଫେବୃୟାରୀ ପ୍ରାରମ୍ଭରେ ସଂକ୍ରମଣ ବ୍ୟାପିଥାଇପାରେ।

Share