ଆମେରିକାର ବୌଦ୍ଧିକ ସମ୍ପତ୍ତି ଚୋରି: କଳାତାଲିକାରେ ଚାଇନା,ଭାରତ

ଓ୍ବାଶିଂଟନ,୨୭ା୪(ଆଇଏଏନ୍‌ଏସ୍‌): ବୌଦ୍ଧିକ ସମ୍ପତ୍ତି (ଆଇପି) ଚୋରି ଏବଂ ପେଟେଣ୍ଟ ଉଲ୍ଲଂଘନକୁ ନେଇ ଆମେରିକା ସରକାର ପକ୍ଷରୁ ପ୍ରସ୍ତୁତ କଳାତାଲିକାରେ ଭାରତ ଓ ଚାଇନା ରହିଛି। ୧୧ ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଏହି ତାଲିକାର ଶୀର୍ଷରେ ଚାଇନା ରହିଛି। ଆମେରିକା ଟ୍ରେଡ୍‌ ରିପ୍ରେଜେଣ୍ଟେଟିଭ୍‌ ଅଫିସ୍‌ (ୟୁଏସ୍‌ଟିଆର୍‌) ପକ୍ଷରୁ ୨୦୧୮ ପାଇଁ ‘ସ୍ପେଶାଲ ୩୦୧’ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁ ବାଣିଜି୍ୟକ ସହଯୋଗୀ ପର୍ଯ୍ୟାପ୍ତ ଭାବେ ଅଥବା ପ୍ରଭାବଶାଳୀ ରୂପେ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ସୁରକ୍ଷା ଦିଏନାହିଁ ଏବଂ କାର୍ଯ୍ୟକାରୀ କରେ ତାକୁ ଚିହ୍ନଟ କରାଯାଇଛି। ସେହିପରି ନିଜ ଆଇପି ଅଧିକାରଗୁଡ଼ିକର ସୁରକ୍ଷା ଉପରେ ନିର୍ଭରଶୀଳ ଆମେରିକାର ନବ ପ୍ରବର୍ତ୍ତନକାରୀ ଓ ନିର୍ମାତାଙ୍କୁ ଯେଉଁ ରାଷ୍ଟ୍ର ନିଜ ବଜାରରେ ପ୍ରବେଶ କରିବାକୁ ଦିଏନାହିଁ ସେଗୁଡ଼ିକୁ ମଧ୍ୟ ଏଥିରେ ସ୍ଥାନିତ କରାଯାଇଛି। ଆମେରିକାର ଏହି କଳାତାଲିକାରେ ଅଲ୍‌ଜେରିଆ, ଆର୍ଜେଣ୍ଟିନା, ଚିଲି, ଚାଇନା, ଭାରତ, ଇଣ୍ଡୋନେସିଆ, କୁଏଟ୍‌, ରୁଷିଆ, ସୌଦି ଆରବ, ୟୁକ୍ରେନ୍‌ ଏବଂ ଭେନିଜୁଏଲା ରହିଛି। ଯେଉଁ ବିଦେଶୀ ବାଣିଜି୍ୟକ ସହଯୋଗୀ ରାଷ୍ଟ୍ରଗୁଡ଼ିକରେ ଆଇପି ସୁରକ୍ଷା ଓ ପ୍ରବର୍ତ୍ତନର ସ୍ଥିତି ଖରାପ ହୋଇଛି ବା ଅପର୍ଯ୍ୟାପ୍ତ ସ୍ତରରେ ରହିଛି ଏବଂ ଆଇପି ସୁରକ୍ଷା ଉପରେ ନିର୍ଭର କରୁଥିବା ଆମେରିକୀୟମାନେ ଯେଉଁ ବଜାରରେ ବ୍ୟବସାୟ ପାଇଁ ସହଜ ମଣୁନାହାନ୍ତି ଏହି ରିପୋର୍ଟରେ ସେଗୁଡ଼ିକୁ ଚିହ୍ନଟ କରାଯାଇଛି। ୟୁଏସ୍‌ଟିଆର୍‌ ଦସ୍ତାବିଜ ଅନୁସାରେ ଯଦିଓ ବିଗତ କିଛିବର୍ଷ ମଧ୍ୟରେ ବେଜିଂ ନିଜ ନ୍ୟାୟିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆଣିଛି, ତଥାପି ଏହା ଚାଇନାର କମ୍ପାନୀଗୁଡ଼ିକୁ ବିଦେଶୀ କମ୍ପାନୀଗୁଡ଼ିକର ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍‌ ଉଲ୍ଲଂଘନ ଉପରେ କଟକଣା ଜାରି କରିବା ନେଇ କେତେକ ନିର୍ଦ୍ଦିଷ୍ଟ ଆଇନରେ ସଂଶୋଧନ ଆଣିନାହିଁ। ଅନ୍‌ଲାଇନ୍‌ ପାଇରେସି, ଜାଲିଆତି ଏବଂ ପ୍ରତାରଣା କରି ଟ୍ରେଡ୍‌ମାର୍କ ପଞ୍ଜୀକରଣ କରିବା ହେଉଛି ଏହି ଅପରାଧର ପର୍ଯ୍ୟାୟଭୁକ୍ତ।
ଚାଇନା ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଶେଷକରିବା ପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ବୌଦ୍ଧିକ ସମ୍ପତ୍ତିକୁ ନେଇ ଉଠିଥିବା ପ୍ରଶ୍ନ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକାର କଳାତାଲିକାର ଦ୍ୱିତୀୟ ସ୍ଥାନରେ ଭାରତ ରହଛିି। କାରଣ ୟୁଏସ୍‌ଟିଆର୍‌ ନିଜ ଆଇପି ଢାଞ୍ଚାରେ ‘ଦୀର୍ଘଦିନ ଧରି ରହିଥିବା ଅଭାବ’ ସହ ପେଟେଣ୍ଟ, କପିରାଇଟ୍‌, ଟ୍ରେଡ୍‌ ସିକ୍ରେଟ୍‌ ତଥା ପ୍ରବର୍ତ୍ତନ ଆଦି ଉପରେ ଗୁରୁତ୍ୱ ଦେଇଛି। ଗତବର୍ଷରୁ ଏହି ତାଲିକାରେ ଚିଲି ଓ ଭେନିଜୁଏଲା ରହିଥିବାବେଳେ ଏବର୍ଷ ଆର୍ଜେଣ୍ଟିନା ସାମିଲ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share