Categories: ବାଣିଜ୍ୟ

ଆମେରିକା-ଇରାନ ଯୁଦ୍ଧ ଲାଗିଲେ; ଅଶୋଧିତ ତେଲ ଦରରେ ଲାଗିବ ନିଆଁ

ନୂଆଦିଲ୍ଲୀ,୨୧-୬: ଇରାନ ବିରୋଧରେ ଆମେରିକାର କଟକଣା ଜାରି ପରେ ତେହରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆମେରିକାର ଏକ ସାମରିକ ଡ୍ରୋନକୁ ଇରାନ ଖସାଇ ଦେଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଏବେ ଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି। ଦୁଇ ଦେଶ ଯଦି ମୁହାଁମୁହିଁ ହୁଅନ୍ତି, ତେବେ ଅଶୋଧିତ ତୈଳ ବୃଦ୍ଧି ହୁହୁ ହୋଇ ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଆମେରିକାର ଡ୍ରୋନକୁ ଇରାନ ଖସାଇ ଦେବାର ସୂଚନା ମିଳିବା ମାତ୍ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗୁରୁବାର ୩ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୬୩ ଡଲାରରେ ପହଞ୍ଚତ୍ଲାଣି। ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ନିକଟ ଭବିଷ୍ୟତରେ ବଢ଼ିବ ପଛେ କମିବ ନାହିଁ। ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ, ଇରାନ ଭୃପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ସହାୟତାରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଉପରେ ଅନ୍ତରାଷ୍ଟ୍ରୀୟ ଆକାଶରେ ଏହାର ଡ୍ରୋନକୁ ମାରି ଖସାଇଛି। ଅନ୍ୟପକ୍ଷରେ ଇରାନ ରିଭଲ୍ୟୁଶନାରୀ ଗାର୍ଡସ ପକ୍ଷରୁ କୁହାଯାଇଛି ଯେ, ଆମେରିକାର ଡ୍ରୋନ ଦକ୍ଷିଣ ଇରାନ ଆକାଶରେ ଉଡାଣ ଭରୁଥିବା ବେଳେ ଏହାକୁ ମାରି ଖସାଇ ଦିଆଯାଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମସ୍ତରରେ ପହଞ୍ଚତ୍ଛି। ଏଣୁ ଅଶୋଧିତ ତେଲ ଦରରେ ନିଆଁ ଲାଗିଯିବ ବୋଲି ଏବେ ମତପ୍ରକାଶ ପାଇଛି। ଅପରପକ୍ଷରେ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଆମେରିକାର ଫେଡେରାଲ ରିଜର୍ଭ ଆସନ୍ତା ବୈଠକରେ ସୁଧ ହାର ହ୍ରାସ କରିବାର ସଙ୍କେତ ଦେଇଛି। ଅନ୍ୟପକ୍ଷରେ ବିଶ୍ୱର ସର୍ବାଧିକ ଅଶୋଧିତ ତେଲ ବ୍ୟବହାର କରୁଥିବା ଆମେରିକାର ଭଣ୍ଡାରରେ ଏବେ ତେଲ ପରିମାଣ ହ୍ରାସ ପାଇଥିବା ତଥ୍ୟ ସାମ୍ନାକୁ ଆସିଛି। ବ୍ରେଣ୍ଟ କ୍ରୁଡ୍‌ର ମୂଲ୍ୟ ଗୁରୁବାର ସକାଳ ୧୦.୩୫ରେ ବ୍ୟାରେଲ ପିଛା ୧.୪୦ ଡଲାର ବଢ଼ି ୬୩.୨୨ ଡଲାରରେ ପହଞ୍ଚତ୍ ଯାଇଥିଲା। ସେହିପରି ୟୁଏସ୍‌ ଓ୍ବେଷ୍ଟ ଟେକ୍ସାସ୍‌ ଇଣ୍ଟରମିଡିଏଟ କ୍ରୁଡ୍‌ ବ୍ୟାରେଲ ପିଛା ୧.୫୪ ଡଲାର ବଢ଼ି ୫୫.୩୦ ଡଲାର ହୋଇଛି। ତେଲ ଯୋଗାଣର ଏକ ଚେକ୍‌ ପଏଣ୍ଟ ଭାବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ କୁହାଯାଉଥିବା ବେଳେ ଗତ ସପ୍ତାହରେ ଦୁଇଟି ତେଲ ଟ୍ୟାଙ୍କରକୁ ମିସାଇଲ ମାଡ କରାଯାଇଥିଲା। ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ପେଟ୍ରୋମେଟ୍ରିକ୍ସ ଆନାଲିଷ୍ଟ ଓଲିଭିୟର ଜ୍ୟାକବଙ୍କ ମତରେ ଆମେରିକାର ସୁଧ ହାର ହ୍ରାସ ଅଶୋଧିତ ତେଲ ଦର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଅନ୍ୟପକ୍ଷରେ ଆମେରିକା ଏନର୍ଜି ଇନ୍‌ଫର୍ମେଶନ ଆଡ୍‌ମିନିଷ୍ଟ୍ରେଶନ ପକ୍ଷରୁ କୁହାଯାଇଛି ଯେ, ଦେଶର ତୈଳ ଭଣ୍ଡାରରେ ଗଚ୍ଛିତ ତେଲ ପରିମାଣ ୩୧ ଲକ୍ଷ ବ୍ୟାରେଲ ହ୍ରାସ ପାଇଛି। ସୂଚନାଥାଉ କି, ଜୁଲାଇ ୧ଓ ୨ରେ ରୁଷ୍‌ ସମେତ ଓପେକ୍‌ ଦେଶ ସମୂହ ବୈଠକରେ ବସି ତେଲ ଉତ୍ପାଦନ ନେଇ ନିଷ୍ପତ୍ତି ନେବେ। ଦୈନିକ ୧୨ ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ ହ୍ରାସ ନେଇ ସହମତି ପ୍ରକାଶ ପାଇଲେ ତେଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିବ।

Share