ଆମେରିକା, ଚାଇନାଠାରୁ ଭାରତରେ କରୋନା ମୃତ୍ୟୁହାର ଅଧିକ !

ନୂଆଦିଲ୍ଲୀ,୧୨।୪: କରୋନା ଭାଇରସ ଏବେ ୨ଶହରୁ ଊର୍ଦ୍ଧ୍ୱ ଦେଶକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ଆମେରିକାକୁ ତା’ର ଠିକଣା କରି ନେଇଛି। ଏବେ ଆମେରିକାରେ ଗୋଟିଏ ଦିନରେ ପାଖାପାଖି ୨ ହଜାର ଲୋକଙ୍କ ମୃତ୍ୟୁ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଅନ୍ୟପଟେ ଆଲୋଚନା ହେଉଛି କି ଭାରତରେ କରୋନା ମୃତ୍ୟୁହାର ଅନ୍ୟ ଦେଶ ତୁଳନାରେ ଅଧିକ। ମିଳିଥିବା ସୂଚନା ଅନୁଯାୟୀ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୫୬ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ପ୍ରାୟ ୭,୩୬୭ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ହେଲେ ଭାରତର ଏହି ମୃତ୍ୟୁହାର ଆମେରିକା ଓ ଚାଇନାଠାରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଦକ୍ଷିଣ କୋରିଆ, ଜର୍ମାନୀ କରୋନା ମୁକାବିଲାରେ ସଫଳ ହୋଇଥିବା ଦେଖାଯାଉଥିବା ବେଳେ ଭାରତ ଏକ୍ଷେତ୍ରରେ ଟିକେ ପଛରେ ଅଛି ବୋଲି କୁହାଯାଉଛି। କିନ୍ତୁ ଇଟାଲୀ, ସ୍ପେନ, ବ୍ରିଟେନ, ସ୍ବୀଡେନ, ନେଦରଲାଣ୍ଡସ୍‌ ଭଳି ଦେଶରେ କରୋନା ମୃତ୍ୟୁହାର ଭାରତଠାରୁ ଅଧିକ ରହିଛି ବୋଲି କୁହାଯାଉଛି।

Share