ଇସ୍ଲାମାବାଦ,୨୧ା୯: ପାକିସ୍ତାନୀ ସେନାର ବର୍ବରତାକୁ ସାମ୍ନାକୁ ଆଣିଥିବା ଅଧିକାର କର୍ମୀ ଗୁଲାଲାଇ ଇସ୍ମାଇଲ୍ ଗତମାସରେ ଇସ୍ଲାମାବାଦରୁ ନ୍ୟୁୟର୍କକୁ ଖସି ପଳାଇଛନ୍ତି। ସେ ଆମେରିକାର ରାଜନୈତିକ ଶରଣ ଲୋଡ଼ିଥିଲେ। ୩୨ ବର୍ଷୀୟା ଗୁଲାଲାଇ ନ୍ୟୁୟର୍କସ୍ଥିତ ବ୍ରୁକ୍ଲିନ୍ରେ ଥିବା ତାଙ୍କ ଭଉଣୀଙ୍କ ସହ ରହୁଛନ୍ତି। ଦେଶ ଛାଡ଼ି ପଳାୟନ କରିବାରେ କିପରି ସଫଳ ହେଲେ ସେନେଇ ସେ ମୁହଁ ଖୋଲିନାହାନ୍ତି। ଏନେଇ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। କଶ୍ମୀର ଉପତ୍ୟକାରେ ମାନବାଧିକାର ଉଲ୍ଲଂଘନ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଜୋରଦାର ପ୍ରଚାର ଚଳାଇଥିବାବେଳେ ନିଜ ଦେଶର ମାନବାଧିକାର ରେକର୍ଡ ଏହା ପାଇଁ ଶକ୍ତ ଧକ୍କା ହୋଇଛି। ଆମେରିକାରେ ରାଜନୈତିକ ଶରଣ ଲୋଡିଥିବା ଗୁଲାଲାଇ ଇସ୍ଲାମାବାଦର ଅସଲ ମୁଖା ଖୋଲିଛନ୍ତି। କେବଳ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଆକ୍ରମଣ ଉପତ୍ୟକାର ସ୍ଥିତିକୁ ଖରାପ କରିବ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ଭାରତର ଅଭିଯୋଗ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ହୋଇଥିବାବେଳେ ଆତଙ୍କବାଦୀଙ୍କୁ ବ୍ୟବହାର କରୁଥିବା ପାକ୍ ଉପରେ ରୋକ୍ ଲଗାଇବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।