ସିଓଲ,୧୬।୧୦: ଆମେରିକା ଲଗାଇଥିବା ପ୍ରତିବନ୍ଧକ ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇଛନ୍ତି ଉତ୍ତର କୋରିଆନ ନେତା କିମ୍ ଜଙ୍ଗ ଅନ୍। ସଂକଳ୍ପ ନେବା ସହ ପ୍ରତିବନ୍ଧକ ଯୋଗୁ ଦେଶକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ବୁଧବାର ଗୋଟାଏ ଧଳାଘୋଡ଼ାରେ ଚଢ଼ି କିମ୍ ଏଭଳି ବୟାନ ଦେଇଛନ୍ତି। ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବୁଧବାର କିମ୍ଙ୍କୁ ଧଳା ଘୋଡା ଉପରେ ବସି ମାଉଣ୍ଟ ପିକ୍ଟୁକୁ ଯାଉଥିବାର ଦେଖିବାକୁ ମିଳିଛି। କୋରିଆର ପ୍ରାୟଦ୍ୱୀପର ଉଚ୍ଚତମ ଶୃଙ୍ଗକୁ ଉତ୍ତର କୋରିଆବାସୀ ପବିତ୍ର ବୋଲି ବିଶ୍ୱାସ କରିଥାନ୍ତି। ଉଚ୍ଚତମ ଶୃଙ୍ଗକୁ ଧଳା ଘୋଡାରେ ଗସ୍ତ କଲେ ଏହା କୌଣସି କାର୍ଯ୍ୟ କିମ୍ବା ଅପରେଶନ ଆରମ୍ଭର ସଙ୍କେତ ବୋଲି ଦର୍ଶାଇଥାଏ।
କିମ୍ଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ କିମ୍ ଚଷମା ପିନ୍ଧି, ଗୋଟିଏ ଲମ୍ବା ଓ ଈଷତ୍ ବାଦାମୀ ରଙ୍ଗର କୋଟ୍ ପରିଧାନ କରି ତୁଷାର ଆବୃତ୍ତ ଶୃଙ୍ଗ ଉପରକୁ ଯାଉଥିବା ଦେଖିବାକୁ ମିଳିଛି। ଧଳାଘୋଡ଼ା ହେଉଛି ସାତ ଦଶନ୍ଧି ଧରି ଉତ୍ତର କୋରିଆ ଶାସନ କରୁଥିବା କିମ ପରିବାରର ପ୍ରଚାର ସଙ୍କେତ। ତେବେ କିମ୍ଙ୍କ ଏହି ଘୋଡା ଚଢ଼ାକୁ ନେଇ ଅନ୍ତର୍ଜାତୀୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।