Categories: ବାଣିଜ୍ୟ

ଆମେରିକା ବାଦାମ ଉପରୁ ସୀମାଶୁଳ୍କ ହ୍ରାସକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୧-୭: ଆମେରିକାରୁ ଆସୁଥିବା ଆଲ୍‌ମଣ୍ଡ(ବାଦାମ) ଉପରୁ ସୀମାଶୁଳ୍କ ହ୍ରାସ କରିବାକୁ ଆମେରିକାର ଅନୁରୋଧକୁ ଭାରତ ପ୍ରତ୍ୟାଖ୍ୟାନ କରିଦେଇଛି। ଗତ ମାସରେ ଆମେରିକାରୁ ଆସୁଥିବା ଆଲମଣ୍ଡ, ଅଖରୋଟ ଉପରେ ଭାରତ ସୀମାଶୁଳ୍କ ବୃଦ୍ଧି କରିଛି। ଗତ ସପ୍ତାହରେ ବାଣିଜ୍ୟ ପ୍ରତିନିଧିଙ୍କ ଭାରତ ଗସ୍ତ କାଳରେ ଆଲ୍‌ମଣ୍ଡ ଉପରୁ ସୀମାଶୁଳ୍କ ହ୍ରାସ କରିବାକୁ ଆମେରିକା ପକ୍ଷରୁ ଅନୁରୋଧ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଆମେରିକା ଗତବର୍ଷ ମାର୍ଚ୍ଚରେ ଭାରତରୁ ଆସୁଥିବା ଷ୍ଟିଲ୍‌ ଓ ଆଲୁମିନିୟମ ଉପରେ ଯଥାକ୍ରମେ ୨୫ ଓ ୧୦ ପ୍ରତିଶତ ସୀମାଶୁଳ୍କ ବୃଦ୍ଧି କରିଥିଲା। ଭାରତ ମଧ୍ୟ ଏହାର ପାଲ୍‌ଟା ଜବାବ ଦେଇ ଆମେରିକାର ୨୮ ସାମଗ୍ରୀ ଉପରେ ଜୁନ୍‌ ୧୬ରୁ ସୀମାଶୁଳ୍କ ବୃଦ୍ଧି କରିଛି। ଟାରିଫ୍‌ ବୃଦ୍ଧି ଯୋଗୁ ଭାରତକୁ ବାର୍ଷିକ ୧୫୧୯ କୋଟି ଟଙ୍କାର ଫାଇଦା ମିଳିବାକୁ ଯାଉଛି। ଏଥିରେ କେବଳ ଆଲମଣ୍ଡରୁ ଅତିରିକ୍ତ ୧୭ ପ୍ରତିଶତ ଅର୍ଥାତ୍‌ ୯୮.୭ ବିଲିୟନ ଡଲାର(୬୯୧ କୋଟି ଟଙ୍କା) ଫାଇଦା ମିଳିବ। ଭାରତ ୨୦୧୯ ଆର୍ଥିକ ବର୍ଷରେ ଆମେରିକାରୁ ୬୨୫ ମିଲିୟନ ଡଲାର(୪୩୭୫ କୋଟି ଟଙ୍କା) ବାଦାମ ଆମଦାନୀ କରିଥିଲା।

Share