Categories: ବାଣିଜ୍ୟ

ଆମେରିକା ଭାରତର ଶୀର୍ଷ ବାଣିଜ୍ୟ ଅଂଶୀଦାର

ନୂଆଦିଲ୍ଲୀ, ୨୪-୨: ଚାଇନାକୁ ଟପି ଆମେରିକା ଭାରତର ଶୀର୍ଷ ବାଣିଜ୍ୟ ଅଂଶୀଦାର ହୋଇ ପାରିଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବୃହତ୍‌ ଅର୍ଥନୈତିକ ସମ୍ପର୍କ ସ୍ଥାପନ ହୋଇଥିବା ଜଣାପଡିଛି। ବାଣିଜ୍ୟ ମନ୍ତ୍ରଣାଳୟ ତଥ୍ୟ ମୁତାବକ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଭାରତ-ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୮୭.୯୫ ବିଲିୟନ ଡଲାର ରହିଛି। ଏହି ସମୟରେ ଚାଇନା ସହ ଭାରତର ବାଣିଜ୍ୟ ୮୭.୦୭ ବିଲିୟନ ଡଲାର ଛୁଇଁଛି। ୨୦୧୯-୨୦ ଏପ୍ରିଲ ଡିସେମ୍ବର ସମୟରେ ଭାରତ ଆମେରିକା ମଧ୍ୟରେ ୬୮ ବିଲିୟନ ଡଲାରର ବାଣିଜ୍ୟ କାରବାର ହୋଇଛି। ସମାନ ସମୟରେ ଚାଇନା ଭାରତ ମଧ୍ୟରେ ଦ୍ୱିପାକ୍ଷିକ କାରବାର ୬୪.୯୬ ବିଲିୟନ ଡଲାର ରହିଛି। ଓ୍ବାଶିଂଟନ ଏବଂ ନୂଆଦିଲ୍ଲୀ ମଧ୍ୟରେ ଅର୍ଥନୈତିକ ଚୁକ୍ତି ସ୍ବାକ୍ଷରିତ ହେଲେ ଏହି ଧାରା ଆହୁରି ଦୃଢ ହେବ ବୋଲି ବଜାର ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ଆଗାମୀ ଦିନରେ ଦୁଇ ଦେଶ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ)ରେ ସାମିଲ ହେଲେ ଦ୍ୱିପାକ୍ଷିକ ବାଣିଜ୍ୟ ଆଉ ଗୋଟିଏ ସୋପାନକୁ ଯାଇ ପାରିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଆମେରିକା ସହ ଏଫ୍‌ଟିଏ ଭାରତ ଲାଗି ମଙ୍ଗଳକାରୀ ହେବ ବୋଲି ଭାରତୀୟ ରପ୍ତାନିକାରୀ ମହାସଂଘର ମହାନିର୍ଦ୍ଦେଶକ ଅଜୟ ସାହାଇ ମତବ୍ୟକ୍ତ କରିଛନ୍ତି।

Share