ଆମେରିକା ରାଷ୍ଟ୍ରପତି ଦୌଡ଼: ଡେମୋକ୍ରାଟ ଦଳର ୨ୟ ସ୍ଥାନରେ କମ୍‌ଲା ହାରିସ୍‌

ଓ୍ବାଶିଂଟନ,୪ା୭(ପି.ଟି.): ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ଦଳରୁ ୨୦ରୁ ଊର୍ଦ୍ଧ୍ୱ ଆଶାୟୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ କମ୍‌ଲା ହାରିସ୍‌ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ସଦ୍ୟ ପ୍ରକାଶିତ ଜନମତ ସର୍ଭେରୁ ଜଣାପଡିଛି। ପ୍ରଥମ ଡେମୋକ୍ରାଟ୍‌ ରାଷ୍ଟ୍ରପତି ବିତର୍କରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। କୁଇନିପିକ୍‌ ୟୁନିଭର୍ସିଟି ସର୍ଭେରେ ଏହି ଆମେରିକୀୟ ସିନେଟରଙ୍କୁ ୨୦ ପ୍ରତିଶତ ମାର୍କ ମିଳିଥିବାବେଳେ ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍‌ଙ୍କୁ ୨୨ ପ୍ରତିଶତ ମିଳିଛି। ଗତମାସରେ ହୋଇଥିବା ସର୍ଭେରେ ବିଡେନ୍‌ଙ୍କୁ ୩୦ ପ୍ରତିଶତ ଏବଂ ହାରିସ୍‌ଙ୍କୁ ୭ ପ୍ରତିଶତ ମାର୍କ ମିଳିଥିଲା। ଉକ୍ତ ସର୍ଭେରେ ହାରିସ୍‌ ଚତୁର୍ଥ ସ୍ଥାନରେ ଥିଲେ। ତେବେ ଗତ ଗୁରୁବାର ହୋଇଥିବା ବିତର୍କରେ ତାଙ୍କର ଉଚ୍ଚକୋଟୀର ପଦର୍ଶନ ଲାଗି ଅଧିକରୁ ଅଧିକ ସମର୍ଥନ ମିଳିଛି। ଯଦି ହାରିସ୍‌ ନିର୍ବାଚିତ ହୁଅନ୍ତି ତେବେ ସେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ।

Share