ଆମେରିକା ସଂଘୀୟ କମିଶନଙ୍କ ସୁପାରିସ: ସିଏବି ପାସ୍‌ ହେଲେ ଶାହାଙ୍କ ଉପରେ କଟକଣା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୧ା୧୨(ପି.ଟି./ଆଇଏଏନ୍‌ଏସ୍‌): ଭାରତର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ଗୃହୀତ ହେଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ କଟକଣା ଜାରି କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା କମିଶନ (ୟୁଏସ୍‌ସିଆଇଆର୍‌ଏଫ୍‌) ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ଏହି ପ୍ରସଙ୍ଗ ଉପରେ ହସ୍ତକ୍ଷେପ କରିବା ଅଧିକାର ଆମେରିକୀୟ ସଂସ୍ଥାର ନାହିଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ସମାଲୋଚନା କରିଛି।
ସଂଶୋଧନ ବିଲ୍‌ ସୋମବାର ମଧ୍ୟରାତ୍ରିରେ ଲୋକ ସଭାରେ ଗୃହୀତ ହୋଇଛି। ବୁଧବାର ଉକ୍ତ ବିଲ୍‌ ରାଜ୍ୟ ସଭାରେ ଗୃହୀତ ହେବା ପରେ ଆଇନରେ ପରିଣତ ହେବ। ପ୍ରସ୍ତାବିତ ଆଇନାନୁସାରେ ପାକିସ୍ତାନ, ବାଂଲାଦେଶ ଓ ଆଫ୍‌ଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆସି ଏଠାରେ ଧାର୍ମିକ ଅତ୍ୟାଚାରର ଶିକାର ହେଉଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଭାରତରେ ଶରଣାର୍ଥୀ ଭାବେ ପରିଗଣିତ ହେବେ ନାହିଁ। ସେମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ। ତେଣୁ ୟୁଏସ୍‌ସିଆଇଆର୍‌ଏଫ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଉକ୍ତ ବିଲ୍‌ରେ ନିର୍ଦ୍ଦିଷ୍ଟ ଭାବେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ବାଦ୍‌ ଦିଆଯିବା ଦୁର୍ଭାଗ୍ୟଜନକ। ଏହି ବିଧେୟକ ଏକ ବିପଜ୍ଜନକ ଦିଗ ଦେଇ ଗତି କରୁଛି। ଏହା ଭାରତର ମହାନ୍‌ ଇତିହାସ, ଧର୍ମନିରପେକ୍ଷ ବହୁଳବାଦ ଓ ଭାରତୀୟ ସମ୍ବିଧାନର ପରିପନ୍ଥୀ।
ଯେ, ୧୯୯୮ରେ ଗଠିତ ୟୁଏସ୍‌ସିଆଇଆର୍‌ଏଫ୍‌ ହେଉଛି ଆମେରିକାର ଏକ ସ୍ବାଧୀନ ଦ୍ୱିଦଳୀୟ ସଂଘୀୟ ସରକାର କମିଶନ, ଯାହା ଅନ୍ତର୍ଜାତୀୟ ସ୍ତରରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରିଥାଏ। ୨୦୦୨ ଗୁଜରାଟ ଦଙ୍ଗା ପରିପ୍ରେକ୍ଷୀରେ ଏହି କମିଶନ ୨୦୦୫ରେ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କର ଭିଜା ପ୍ରତ୍ୟାହାର ପାଇଁ ଆମେରିକାକୁ ସୁପାରିସ କରିଥିଲା। ଅନ୍ୟପକ୍ଷରେ ବିଲ୍‌ ଉପରେ ୟୁଏସ୍‌ସିଆଇଆର୍‌ଏଫ୍‌ର ଏହି ମନ୍ତବ୍ୟ ଠିକ୍‌ ନୁହେଁ କି ଆବଶ୍ୟକ ମଧ୍ୟ ନୁହେଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଏକ ଖବରଦାତା ସମ୍ମିଳନୀରେ ସମାଲୋଚନା କରିଛନ୍ତି।

Share