ଆମେରିକା ସେନାକୁ ଟିକ୍‌ଟକ୍‌ ଡର

ଓ୍ବାଶିଂଟନ,୩ା୧(ଆଇଏଏନ୍‌ଏସ୍‌): ଆମେରିକା ସୈନ୍ୟମାନେ ଏଣିକି ଟିକ୍‌ଟକ୍‌ ଆପ୍‌ ବ୍ୟବହାର କରିପାରିବେ ନାହିଁ। ଚାଇନା ଦ୍ୱାରା ବିକଶିତ ଏହି ଶର୍ଟ ଭିଡିଓ-ମେକିଙ୍ଗ୍‌ ଆପ୍‌ ଦ୍ୱାରା ଫୋନ୍‌ର ସୁରକ୍ଷା ବିପଦରେ ପଡ଼ୁଥିବା ଦର୍ଶାଇ ଆମେରିକା ସେନା ପକ୍ଷରୁ ଗୁରୁବାର ଏହା ଉପରେ କଟକଣା ଜାରି କରାଯାଇଛି। ଆମେରିକାର ନ୍ୟୁଜ ପୋର୍ଟାଲ ମିଲିଟାରି ଡଟ୍‌ କମ୍‌ରେ ସେନା ମୁଖପାତ୍ର ଲୁଟ୍‌ନାଣ୍ଟ କଲୋନେଲ ରବିନ ଓଚୋଆ କହିଛନ୍ତି, ଟିକ୍‌ଟକ୍‌କୁ ଏକ ସାଇବର ବିପଦ ବୋଲି ବିବେଚନା କରାଯାଉଛି। ସରକାରୀ ଫୋନ୍‌ଗୁଡ଼ିକରେ ଏହି ଆପ୍‌କୁ ବ୍ୟବହାର ପାଇଁ ଅନୁମତି ଦିଆଯିବ ନାହିଁ। ଏହି ଭିଡିଓ ପ୍ରସ୍ତୁତକାରୀ ଆପ୍‌ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଏକ ଚ୍ୟାଲେଞ୍ଜ। ଦେଶର ନାଗରିକଙ୍କୁ ପ୍ରଭାବିତ କରିବା ପାଇଁ ଏହା ବ୍ୟବହାର ହୋଇପାରେ ବୋଲି ଉଦ୍‌ବେଗ ପ୍ରକାଶ ପାଇବା ପରେ ଏପରି ପଦକ୍ଷେପ ନିଆଯାଇଛି। ତେବେ କୌଣସି ସୈନ୍ୟ ନିଜ ବ୍ୟକ୍ତିଗତ ମୋବାଇଲ ଫୋନରେ ଟିକ୍‌ଟକ୍‌ ବ୍ୟବହାର କଲେ ଆପତ୍ତି ନାହିଁ। ହେଲେ କୌଣସି ସନ୍ଦିଗ୍ଧ ମେସେଜ ବା ଲିଙ୍କ୍‌ ଆସିଲେ ତାକୁ ଅଣଦେଖା କରାଯିବା ଉଚିତ ବୋଲି ସେନା ପକ୍ଷରୁ କୁହାଯାଇଛି। ଗତମାସରେ ଆମେରିକା ନୌସେନା ଓ ପ୍ରତିରକ୍ଷା ବିଭାଗ ନିଜ ନିଜ କର୍ମଚାରୀଙ୍କୁ ଏହି ଆପ୍‌ରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଯେ, ବିଶ୍ୱର ପ୍ରାୟ ୧.୫ ବିଲିୟନ ଲୋକ ଟିକ୍‌ଟକ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିସାରିଲେଣି। ଭାରତ ଓ ଚାଇନା ପରେ ଆମେରିକାରେ ଏହାର ୟୁଜର୍ସ ସର୍ବାଧିକ। କେବଳ ଆମେରିକା ବଜାରରେ ୩୭.୬ ନିୟୁତ ଲୋକ ଏହାକୁ ବ୍ୟବହାର କରୁଛନ୍ତି। ଗତ ନଭେମ୍ବରରେ ପ୍ରଥମ ଚାଇନା କମ୍ପାନୀ ଭାବେ ଟିକ୍‌ଟକ୍‌ ଆମେରିକାର ଆପଲ୍‌ ଆପ୍‌ ଷ୍ଟୋରରେ ପହଞ୍ଚତ୍ଥିଲା। ଏହାର ସର୍ଭର ଚାଇନା ଭିତ୍ତିକ ନୁହେଁ, ବରଂ ଯେଉଁ ଦେଶରେ ଆପ୍‌ ଉପଲବ୍ଧ ଅଛି ସେଠାରେ ରହିଛି।

Share