ସହଦେବ ସାହୁ
ତାତି ଆଉ ଧୂଆଁ ମଣିଷର କାଳ ହେଲାଣି। ଆମେ କ୍ଲାଇମେଟ୍ ଚେଞ୍ଜ ଉପରେ ଏତେ ସତର୍କ ହେଲା ପରେ ବି ଏବେ ପ୍ରତି ସେକେଣ୍ଡରେ ୧୩୩୭ ଟନ୍ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡୁଛୁ। ଏଭଳି ପ୍ରଦୂଷଣ ବୃଦ୍ଧିକୁ ରୋକିବାକୁ ଆମେ ଯେତେ ଡେରି କରୁଛୁ ମଣିଷ ଜୀବନ ପ୍ରତି ବିପଦ ସେତେ ବେଶି ବଢ଼ାଉଛୁ। ୨୦୨୩ରେ ଜାଗତିକ ତାପ ଯେତେ ଗରମ ଜଣାଯାଇଛି ତାହା ଗତ ଲକ୍ଷେ ବର୍ଷ ଭିତରେ ଦେଖାଯାଇନାହିଁ। ଆମେ ନିୟନ୍ତ୍ରଣ କରିବାରେ ଯେତେ ମୁହୂର୍ତ୍ତ ଡେରି କରୁଛୁ, ବଞ୍ଚତ୍ରହିବାଟା ସେତେ କଷ୍ଟକର ହେଉଛି ଓ ମୁକାବିଲା କରିବାର ଖର୍ଚ୍ଚ ସେତେ ବେଶି ବଢୁଛି। ଧନୀମାନେ ଥଣ୍ଡା ଓ ସହନଶୀଳ ପ୍ରଦୂଷଣରେ ରହିବା ଲାଗି ଯେତେ ବେଶି ଖର୍ଚ୍ଚ କରୁଥିବେ, ପୃଥିବୀର ଜଳବାୟୁ ସେତେ ଅଧିକ ଗରମ ଓ ପ୍ରଦୂଷିତ ହେଉଥିବ। ଗରିବମାନେ ସେତେ ବେଶି ସଂଖ୍ୟାରେ ଜୀବନ ହରାଇବେ। ଗରମ ପରିବେଶ ଯୋଗୁ ୨୦୫୦ ବେଳକୁ ମୃତ୍ୟୁହାର ୪.୭ ଗୁଣ ବଢ଼ିଯିବ ବୋଲି ଲଣ୍ଡନସ୍ଥ ୟୁନିଭର୍ସିଟି କଲେଜଠାରେ ‘ଲାନ୍ସେଟ୍ କାଉଣ୍ଟଡାଉନ୍’ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ମାରିନା ରୋମାନେଲୋ କହୁଛନ୍ତି। ଧନୀମାନଙ୍କ ଉପରେ ଗରିବର ହିଂସାତ୍ମକ କାରବାର ବଢ଼ିଯିବ, ସଂଖ୍ୟାଲଘୁ ଥିଲାବାଲାଙ୍କ ଉପରେ ସଂଖ୍ୟାଧିକ ଦୁଃଖୀଙ୍କ ଆକ୍ରମଣ ବଢ଼ିବ, ଗଣତନ୍ତ୍ର ବିପନ୍ନ ହେବ, ଧନୀଙ୍କ ସମର୍ଥିତ ନେତାଙ୍କ (ବା ନେତାଗୋଷ୍ଠୀର) ଡିକ୍ଟେଟରଶିପ୍ ଚାଲିବ। ଲୋକେ ପୋକ ମାଛି ଭଳି ସୁକୁଟି ମରିବେ। ଆଗେ ଆମେ କହୁଥିଲୁ ସରକାର, ଶିଳ୍ପପତି, କମ୍ପାନୀ, ବ୍ୟବସାୟୀ ଓ ବ୍ୟାଙ୍କ୍ମାନେ ଫସିଲ୍ ତେଲ ଓ ଗ୍ୟାସ୍ ଉପରେ ପୁଞ୍ଜି ଖଟାଇ ସଙ୍କଟକୁ ବଢ଼ାଉଛନ୍ତି। ଏବେ ଆମେ କହିଲୁଣି ଆମ ଚାଷୀମାନେ ପ୍ରଦୂଷଣ ବଢ଼ାଉଛନ୍ତି। ପାଖଆଖ ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ଚାଷୀମାନେ କ୍ଷେତରେ ଅମଳ ପରେ ରହିଯାଉଥିବା ଧାନ ଖୁଣ୍ଟି ଓ ବଳି ପଡୁଥିବା ନଡ଼ାକୁ ଜାଳି ପାଉଁଶ କରୁଥିବାରୁ ଦିଲ୍ଲୀରେ ବାୟୁପ୍ରଦୂଷଣ ମାରାତ୍ମକ ହେଉଛି; ସେଠାକାର ଅଧିବାସୀମାନଙ୍କ ଆୟୁଷ ୧୦ ବର୍ଷ କମିଯାଉଛି ବୋଲି ଗବେଷକମାନେ କହିଲେଣି। ବାୟୁ ଗୁଣ ସୂଚନାଙ୍କ (ବାଗୁସୂ), ଇଂରାଜୀରେ ଏଆର୍ କ୍ୱାଲିଟି ଇଣ୍ଡେକ୍ସ, (ଏକ୍ୟୁଆଇ,) ୧୦୦ ତଳକୁ ରହିଲେ ସୁସ୍ଥ ବୋଲି ଧରାଯାଏ, କିନ୍ତୁ ନଭେମ୍ବରରେ ୪୦୦ ଉପରକୁ ରହୁଛି। ଗବେଷକମାନେ ମୁଖ୍ୟତଃ ପଞ୍ଜାବରେ ଧାନଚାଷକୁ ଦାୟୀ କରୁଛନ୍ତି।
ସ୍କୁଲରେ ପଢ଼ିଲା ବେଳଠୁଁ ଆମେ ଜାଣୁ ପଞ୍ଜାବ ଗହମ ଚାଷ ପାଇଁ ପ୍ରକୃଷ୍ଟ, ଗହମ ଅଳ୍ପ ବୃଷ୍ଟି ଦରକାର କରେ, ଅମଳପରର ଗହମ ବୁଦାମୂଳ ବା ଖୁଣ୍ଟି ପତଳା, ଗହମ ଗଛ ଛୋଟ ଓ ପତଳା। ଖୁଣ୍ଟି ଜାଳି ପାଉଁଶ କଲେ ଖତ ହୁଏ। କିନ୍ତୁ ଧାନଗଛ ବହଳିଆ ବୁଦା, ମଳା ହୋଇଥିବା ଛଣବିଣ୍ଡା ବା ଛଣଗଦା ବେଶ୍ କିଛି ଧୂଆଁ ଛାଡ଼େ। ସେସବୁ ପଶ୍ଚିମା ପବନରେ ପଞ୍ଜାବ ଓ ହରିୟାଣାରୁ ଦିଲ୍ଲୀ ଆଡ଼େ ବହେ। ଧୂଅଁା ଏଡ଼ାଇବା ଲାଗି ଖୁଣ୍ଟା ଓ ନଡ଼ା ପୋତିଦେବା ଉଚିତ ହେବ, କିନ୍ତୁ ତାହା ଖର୍ଚ୍ଚବହୁଳ। ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ଉତ୍ତରପ୍ରଦେଶର ପ୍ରଦୂଷଣ ତନଖି (ମନିଟର୍) କରୁଥିବା ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ (ସିପିସିବି) ଉପଗ୍ରହ ଜରିଆରେ ସର୍ବେକ୍ଷଣ କରି ଦେଖିଛି ଯେ ଗତ ନଭେମ୍ବର ୧୪ ଦିନ ହରିୟାଣାରେ ୪୪ ଗଦାରେ, ଉତ୍ତରପ୍ରଦେଶରେ ୧୭୬ ଗଦାରେ ନିଆଁ ହୁତୁହୁତୁ ହୋଇ ଜଳୁଥିଲା। ରାଜନୀତି-କାରଣରୁ ସେ ପଞ୍ଜାବର ତଥ୍ୟ ଦେଇନାହାନ୍ତି, କିନ୍ତୁ ଗବେଷକମାନେ କହିଲେଣି ପଞ୍ଜାବରେ ଅତିରିକ୍ତ ଧାନଚାଷ ବେଶି ପରିମାଣରେ ଦାୟୀ। ଦିଲ୍ଲୀର ପଡ଼ୋଶୀ ରାଜ୍ୟମାନଙ୍କୁ ନଡ଼ା ଓ ଖୁଣ୍ଟା ଜାଳିବାରୁ ନିବୃତ୍ତ ରହିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲା ବେଳେ ଧାନଚାଷ ଉପରେ ଉପଦେଶ ଦେଇଥିଲେ। ଗହମ ଚାଷଠାରୁ ଧାନଚାଷକୁ ଉତ୍ସାହିତ କରୁଛନ୍ତି ସରକାର। ଚାଉଳର ନୂ୍ୟନତମ କ୍ରୟମୂଲ୍ୟ ଚାଷୀକୁ ଲାଭଜନକ ହେଉଛି, ପଞ୍ଜାବୀ ଚାଷୀ ବାହାର ରାଜ୍ୟକୁ ଚାଉଳ ପଠାଇ ବେଶି ଲାଭ ପାଉଛି, ତେଣୁ ଧାନଚାଷରୁ ମୁହଁ ଫେରାଉ ନାହିଁ। ଧାନ ପ୍ରଚୁର ଜଳ ଦରକାର କରେ, ତେଣୁ ପଞ୍ଜାବ ଭୂତଳ ଜଳର ବହୁଳ ବ୍ୟବହାର କରୁଛି। ବିଶ୍ୱର ୧୭% ଲୋକ ଥିବା ଭାରତ ବିଶ୍ୱର ୪% ମଧୁର ଜଳର ମାଲିକ, ପ୍ରକୃତି ବଡ଼ ନିର୍ଦ୍ଦୟ। ପ୍ରଚୁର ବୃଷ୍ଟି ପାଉଥିବା ପୂର୍ବ ଭାରତରେ ଧାନଚାଷ ହେଲେ ପ୍ରାକୃତିକ ପରିବେଶ ଭଲ ରହିବ, ଅଳ୍ପ ବୃଷ୍ଟି ପାଉଥିବା ଉତ୍ତର-ପଶ୍ଚିମ ଭାରତରେ ଗହମ ଓ ମିଲେଟ୍ ଚାଷ ହେବା ଉଚିତ। ପଞ୍ଜାବର ଚାଷୀ ଚାଉଳକୁ କାସ୍ କ୍ରପ୍ (ପଇସାଅଣା ଫସଲ) ରୂପେ ଗଣିଲାଣି, ସେଥିପାଇଁ ସରକାର ନିର୍ଦ୍ଧାରଣ କରୁଥିବା ନିମ୍ନତମ ମୂଲ୍ୟ ଉତ୍ସାହଜନକ ହୋଇଛି। କମିଶନ୍ ଫର୍ ଆଗ୍ରିକଲ୍ଚରାଲ୍ କଷ୍ଟମସ୍ ଆଣ୍ଡ ପ୍ରାଇସେସ୍ (ସିଏସିପି) ବିଭିନ୍ନ ଖରିଫ ଶସ୍ୟର ଉପତ୍ାଦନ ଖର୍ଚ୍ଚ ଓ ଜମିର ଭଡ଼ାକୁ ହିସାବକୁ ନେଇ ଏକର ପିଛା କେତେ ଉପତ୍ାଦନ ହେଉଛି ତା’ ଉପରେ ଖରିଫ ଋତୁର ଧାନ ଉପତ୍ାଦନ ଖର୍ଚ୍ଚ (କଷ୍ଟ ଅଫ୍ ପ୍ରଡକ୍ସନ, ସିଓପି) କ୍ୱିଣ୍ଟାଲ୍ ପିଛା ଟ.୧୯୧୧ ହିସାବ କରିଛନ୍ତି। ତେଣୁ ସାଧାରଣ ଧାନ ଓ ଗ୍ରେଡ୍ ଏ ଧାନର କ୍ୱିଣ୍ଟାଲ୍ ପିଛା କିଣା ଦର ଟ.୨୧୮୩ ଓ ଟ.୨୨୦୩ ଧାର୍ଯ୍ୟ କଲେ। ତା’ ତୁଳନାରେ ମକା (ମେଜ୍) ଖର୍ଚ୍ଚ ଟ.୧୭୯୭ ନିର୍ଦ୍ଧାରଣ ହେଲା। ୨୦୨୩-୨୪ ଖରିଫ ଧାନ ପାଇଁ ସିଏସିପି ସାଧାରଣ ଓ ଗ୍ରେଡ୍ ଏ ଧାନ ପାଇଁ ଟ.୧୭୯୭ ଓ ଏମ୍ଏସ୍ପି ଟ.୨୦୯୦ ହେଲା। ମୋଟା ଶସ୍ୟ (କୋର୍ସ ସିରିଅଲ୍) ଭିତରେ ବାଜରା (ପାର୍ଲ ମିଲେଟ୍) ଉପତ୍ାଦନ ଖର୍ଚ୍ଚ ସବୁଠୁ କମ୍ କ୍ୱିଣ୍ଟାଲ୍କୁ ଟ.୧୮୧୧, ଜବାର ଓ ରାଗି ଟ.୨୮୩୩ ଓ ଟ.୩୩୨୮। ଧାନ ଉପତ୍ାଦନ କଳନା ବଢ଼ିଛି, ୨୩-୨୪ ପାଇଁ ହେକ୍ଟରକୁ ୪୩.୭ କ୍ୱିଣ୍ଟାଲ୍ ଅଥଚ ଜୁଆର ୧୩.୬ କ୍ୱିଣ୍ଟାଲ୍, ବାଜରା ୧୬.୯ କ୍ୱିଣ୍ଟାଲ୍, ରାଗି ୧୯ କ୍ୱିଣ୍ଟାଲ୍ ଓ ମକା ୩୭ କ୍ୱିଣ୍ଟାଲ୍। ହିସାବ କହୁଛି ଧାନରେ ସବୁଠୁ ବେଶି ମିଳୁଛି। ଏମିତି ବେଶି ମିଳୁଥିବା ବେଳେ ଚାଷୀ କାହିଁକି ଧାନଚାଷ ନ କରିବ, ସେମାନେ ଚାଉଳ ନ ଖାଉଥିଲେ ବି! ଦେଶର କ୍ଷତି, କାରଣ ଧାନ ବେଶି ପାଣି ଦରକାର କରେ, ପଞ୍ଜାବ ଭଳି ସ୍ବଳ୍ପବୃଷ୍ଟି ଅଞ୍ଚଳରେ ଜଳ କଷ୍ଟ ବଢ଼ାଇବ, ପୂର୍ବ ଭାରତ ଭଳି ବୃଷ୍ଟିବହୁଳ ଅଞ୍ଚଳରେ ଯେଉଁଠି ଧାନଚାଷ ହେଲେ ବି ବୋହିଯାଉଥିବା ବର୍ଷାଜଳ କାମରେ ଆସିବ, ସେଠି ଧାନଚାଷ କରି ପଞ୍ଜାବୀ ଚାଷୀଙ୍କ ଦ୍ୱାରା ହାରିଯିବେ, ଅଧିକ ପାଣି ବ୍ୟବହାର ଓ ପାଣିର ଅବ୍ୟବହାର। କମ୍ ବର୍ଷା ଯୋଗୁ ଜଳାନଡ଼ାର ଧୂଆଁରୁ ପ୍ରଦୂଷଣକାରୀ କଣିକାମାନ (ପିଏମ୍୨୫ ଭଳି) ଆକାଶରେ ଭାସି ରହନ୍ତି ଓ ଏକ୍ୟୁଆଇ ବଢ଼ାନ୍ତି।
ପ୍ରଦୂଷଣ ବୃଦ୍ଧିଜନିତ ତାତି ବୃଦ୍ଧି ଜଳପ୍ରଳୟର କାରଣ ହେଲାଣି, ମେରୁ ଅଞ୍ଚଳୀୟ ବରଫଖଣ୍ଡମାନ ତରଳି ଉପକୂଳବର୍ତ୍ତୀ ସ୍ଥଳଭାଗର ପୃଷ୍ଠଦେଶକୁ ଜଳମଗ୍ନ କରିଦେବେ, ସମୁଦ୍ରପନରୁ ସ୍ବଳ୍ପ ଉଚ୍ଚତାରେ ଥିବା ସ୍ଥଳଭାଗ (ସେଠି ତ ଘନ ଜନବସତି) ଉପରେ ସମୁଦ୍ର ମାଡ଼ିବସିବ। କେତେକ ଧରାପୃଷ୍ଠରୁ ସମ୍ପୂର୍ଣ୍ଣରୂପେ ଲୀନ ହେବେ। ଧନ ସମ୍ପର୍କରେ ଅଜ୍ଞ ଲୋକେ ପାହାଡ଼ିଆ ବଣଜଙ୍ଗଲ (ହାଏ ଅଲ୍ଟିଚ୍ୟୁଡ୍)ରେ ବଞ୍ଚତ୍ୟିବେ ତ ଖୁବ୍ ଧନୀମାନେ ଦାମିକା ଯନ୍ତ୍ରପାତି ଘେରରେ ବଞ୍ଚତ୍ ରହିବାର ଚେଷ୍ଟା କରିବେ। ଧନ ଓ ଧର୍ମ- ଏସବୁରେ ମାତିଥିବା ଲୋକଙ୍କ ଭିତରୁ କିଞ୍ଚତ୍ତ୍ ଶତାଂଶ ଉଦ୍ଧାର ପାଇବେ- ପାହାଡ଼ ପର୍ବତ ଓ ଉଚ୍ଚତର ଭୂଖଣ୍ଡରେ ଥିବା ଯେଉଁମାନେ ରକ୍ଷାପାଇବେ, ସେହିମାନେ ହିଁ ମାନବ ସଭ୍ୟତାକୁ ପୁନଃ ସ୍ଥାପନ କରିବେ। ଯଦି ପୃଥିବୀ ବାହାରେ ମଣିଷ ଭଳି ପ୍ରାଣୀ ଅଛନ୍ତି, ସେମାନେ କେବେ ପୃଥିବୀକୁ ଆସିଗଲେ ଦେଖିବେ ଯେ ନିଜର ନୀଡ଼କୁ ଅକ୍ଷୁଣ୍ଣ ରଖିବା, ପରିବେଶକୁ ସଷ୍ଟେନେବଲ୍ ବା ଅକ୍ଷୟ ରଖିବାର ନିୟମ ହିଁ ଧର୍ମ। ୨୦୫୦ ସୁଦ୍ଧା ୧୬୭ କୋଟି ସଂଖ୍ୟା ଛୁଉଁଥିବା ଭାରତୀୟମାନଙ୍କୁ ଖାଇବା ପିଇବା ଓ ବିଜୁଳି ଯୋଗାଇବା ତଥା କୃଷି ଉପରେ ନିର୍ଭର କରୁଥିବା ୫୫% ଭାରତୀୟଙ୍କୁ ସ୍ବଚ୍ଛଳ କରିବା ଏକ ବଡ଼ ଆହ୍ବାନ! ଜଳବାୟୁକୁ ସୁସ୍ଥ ରଖିବା ଲାଗି ଆମ ସରକାର ୩ଟି ପଦକ୍ଷେପ ନେବା ଦରକାର: (୧) ଯାବତୀୟ ଉପତ୍ାଦନ ପ୍ରକ୍ରିୟାରେ ପ୍ରଦୂଷଣମୁକ୍ତ ଧୂଆଁ, (୨) ନିମ୍ନତମ ଆବଶ୍ୟକତାଠାରୁ ବେଶି ଜଳ ବ୍ୟବହାର ଉପରେ ଦଣ୍ଡ, ଯେଉଁଠି ବର୍ଷାପାଣି ପ୍ରଚୁର ପରିମାଣରେ ସମୁଦ୍ରକୁ ବହିଯାଉଛି ତାକୁ ଭଣ୍ଡାରରେ ରଖନ୍ତୁ ବା ଭୂତଳମୁହଁା କରାନ୍ତୁ ଓ ଯେଉଁଠି କମ୍ ବୃଷ୍ଟି ସେଠି କମ୍ ବୃଷ୍ଟିରେ ଉଧୋଉଥିବା ଶସ୍ୟ ଫଳାନ୍ତୁ ଓ (୩) ପାଣିପାଗକୁ ଚାହିଁ କୃଷିକର୍ମ ଓ ଭୂଇଁ-ଅନୁକୂଳ ଚାଷ କରାନ୍ତୁ। ଜିଡିପି ବୃଦ୍ଧି ଚିନ୍ତାରେ ସାମାଜିକ ଧର୍ମରେ ଗ୍ଳାନି ଆସିଗଲାଣି, କେହି ଜଣେ ଅବତାରୀ ବ୍ୟକ୍ତି ସମ୍ଭବ ହେବାର ଯୁଗ ଆସିଗଲାଣି।
sahadevas@yahoo.com