Categories: ଫୁରସତ

ଆମେ ବି ପାରିବୁ

ଲକ୍ଷ୍ୟ ଥିଲା ସ୍ବରୋଜଗାରକ୍ଷମ ହେବା। ମନରେ ବି ଥିଲା ଅଦମ୍ୟ ସାହସ। ପୁଣି ଖାତିର ନ ଥିଲା ସମାଜର ଟାହିଟାପରାକୁ। ଆଉ ଏହି ନିଶା ହିଁ ପ୍ରମାଣ କରି ଦେଖାଇଲାଯେ, କୌଣସି କ୍ଷେତ୍ରରେ ପୁରୁଷଠୁଁ କମ୍‌ ନୁହେଁ ନାରୀ। ଆଜି ବିଶ୍ୱ ମହିଳା ଦିବସ ଅବସରରେ କେତେଜଣ ଝିଅଙ୍କ ସମ୍ପର୍କରେ ଜାଣିବା, ଯେଉଁମାନେ ନିଜ ପେସା ଭାବେ ଏଭଳି କିଛି କାର୍ଯ୍ୟକୁ ବାଛି ନେଇଛନ୍ତି, ଯାହାକି ଦୀର୍ଘଦିନ ଧରି ପୁରୁଷଙ୍କ ପେସା ଭାବେ ସମାଜରେ ଥିବା ଭ୍ରାନ୍ତ ଧାରଣା ଦୂର କରିଛି…

କୌଶଳ ଜଣାଥିଲେ ସବୁ କାର୍ଯ୍ୟ ସହଜ: ଯେଉଁଠି ଅକାତକାତ ପାଣିରେ ଡଙ୍ଗାରେ ବସିବାକୁ ଲୋକେ ଭୟ କରନ୍ତି, ସେଠି ଜଣେ ଝିଅ ହୋଇ ଡଙ୍ଗା ଚଳାଇ ଯାତ୍ରୀଙ୍କୁ ନଦୀ ପାର କରାଉଥିବା ଦୃଶ୍ୟ ଦେଖି ଯେକେହି ବି ତାଙ୍କ ସାହସର ପ୍ରଶଂସା ନ କରି ରହିପାରେନି। ଅଳ୍ପ ବୟସରୁ ଏଭଳି ଏକ ଦୁଃସାହସିକ କାର୍ଯ୍ୟକୁ ନିଜ ପେସା ଭାବେ ବାଛି ନେଇଛନ୍ତି ବାଙ୍କୀ ଚର୍ଚ୍ଚିକା ସାହିର ତିଳୋତ୍ତମା ଏବଂ ଗଦାଧର ବେହେରାଙ୍କ ଝିଅ ରିଙ୍କି। ବର୍ତ୍ତମାନ ସେ ବାଙ୍କୀ ଅଟୋନୋମସ୍‌ କଲେଜରେ ଯୁକ୍ତ ୩ ବାଣିଜ୍ୟ ବିଭାଗର ୨ୟ ବର୍ଷ ଛାତ୍ରୀ। ସେ କୁହନ୍ତି, ବାପାଙ୍କଠାରୁ ମାତ୍ର ୭ ବର୍ଷ ବୟସରେ ହିଁ ଡଙ୍ଗା ଚଳାଇବାର କୌଶଳ ଶିଖିଥିଲି। ତାଙ୍କ ଉପସ୍ଥିତିରେ ଅନେକଥର ଯାତ୍ରୀଙ୍କୁ ନଦୀ ପାର ମଧ୍ୟ କରାଇଥିଲି। ହେଲେ ବାପାଙ୍କ ଅସୁସ୍ଥତା ଯୋଗୁ ଘର ଚଳିବା କଷ୍ଟ ହୋଇପଡ଼ିଲା, ଆଉ ପରିବାରର ବଡ଼ ଝିଅ ହିସାବରେ ଏହି କୌଳିକ ବୃତ୍ତିକୁ ଆପଣେଇ ନେଇଥିଲି। ଦୀର୍ଘ ୮ ବର୍ଷ ହେବ ଏହି କାର୍ଯ୍ୟ କରି ପରିବାର ଚଳାଇବା ସହ ପାଠପଢ଼ା ଖର୍ଚ୍ଚ ମଧ୍ୟ ତୁଲାଉଛି। ଯଦିଓ ଏଠାରୁ ୯ କି.ମି. ଦୂରରେ ବ୍ରିଜ୍‌ ନିର୍ମାଣ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ଟିକେ କମିଛି, ତଥାପି ଦିନକୁ ପ୍ରାୟ ୩୦ ଥର ପର୍ଯ୍ୟନ୍ତ ଡଙ୍ଗାରେ ଯାତ୍ରୀଙ୍କୁ ନଦୀପାର କରାଉଛି। ଜଣେ ଝିଅ ହୋଇ ଡଙ୍ଗା ଚଳାଇବାକୁ କେହିକେହି ପସନ୍ଦ କରୁ ନ ଥିବା କଥା ଶୁଣିଲେ ଯେତିକି କଷ୍ଟ ନ ଲାଗେ, ଏହି କାର୍ଯ୍ୟ ପାଇଁ ଯେବେ ଅଧିକାଂଶ ମୋ ସାହସକୁ ପ୍ରଶଂସା କରନ୍ତି, ତାହା ମୋତେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥାଏ। ତେବେ ଡଙ୍ଗାଚଲା ଭିତରେ ପହଁରିବା କାର୍ଯ୍ୟ ବେଶ୍‌ ଭଲ ଭାବେ ଶିଖିଥିବାରୁ ଭବିଷ୍ୟତରେ ସୁଇମିଂରେ କିମ୍ବା ସେନାବାହିନୀରେ କ୍ୟାରିୟର ଗଢ଼ିବାକୁ ଲକ୍ଷ୍ୟ ରଖିଛି।

ଉଦ୍ୟମ ବଳରେ ଲକ୍ଷ୍ୟ ହାସଲ ସମ୍ଭବ: ବିଏସ୍‌.ସି. ପାଠପଢ଼ା ପରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଲକ୍ଷ୍ୟ ନେଇ ଭୁବନେଶ୍ୱର ଆସିଥିଲେ ଦୁଇ ବାନ୍ଧବୀ ଯାଜପୁରର ରାଜଶ୍ରୀ ମଲ୍ଲିକ ଏବଂ କେନ୍ଦୁଝରର ମାନସୀ ଦାସ। ସେଠାରେ ସେମାନଙ୍କର ଦେଖାହେଲା ବିକମ୍‌ ପାସ୍‌ କରି ଏମ୍‌ବିଏ ପଢ଼ା ପ୍ରସ୍ତୁତି ଲାଗି ବାରିପଦାରୁ ଆସିଥିବା ହିମାନୀ ଦାସଙ୍କ ସହ। ସେମାନେ ମଞ୍ଚେଶ୍ୱରଠାରେ ଘରଭଡ଼ା ନେଇ ଏକାଠି ରହିଲେ। ଧୀରେଧୀରେ ସେମାନଙ୍କ ମଧ୍ୟରେ ବନ୍ଧୁତା ଯେତିକି ନିବିଡ଼ ହେଉଥିଲା, ସେମାନଙ୍କ ଚିନ୍ତାଧାରା ବି ସେମିତି ମିଶୁଥିଲା। ସଭିଏଁ ଚାହୁଁଥିଲେ ପରିବାର ଉପରେ ନିର୍ଭର ନ କରି ନିଜ ପଢ଼ାଖର୍ଚ୍ଚ ନିଜେ ତୁଲାଇବାକୁ। ତେଣୁ ସେମାନେ ମିଳିତ ଉଦ୍ୟମରେ ଆରମ୍ଭ କରିଛନ୍ତି ଭୁବନେଶ୍ୱର ପଳାସୁଣୀ ଛକରେ ଏକ ରୋଡ୍‌ ସାଇଡ୍‌ ଫୁଡ୍‌ କର୍ନର(ବେଷ୍ଟି ପଏଣ୍ଟ)। ପ୍ରତିଦିନ ଅପରାହ୍ନ ପ୍ରାୟ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ହେଉଥିବା ସେମାନଙ୍କର ଏହି ଫୁଡ୍‌ କର୍ନରରେ ମିଳୁଛି ଗରମ ଗରମ ଚା, ସ୍ବିଟ୍‌ କର୍ନ, ବିଭିନ୍ନ ପ୍ରକାରର ମୋମୋ ଏବଂ ଅଣ୍ଡାସିଝା, ପୋଚ୍‌, ଆମ୍‌ଲେଟ୍‌ ଭଳି ବିଭିନ୍ନ ସୁସ୍ବାଦୁ ଖାଦ୍ୟ। ତେବେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ବେଶ୍‌ ସ୍ବାଦିଷ୍ଟ ହେଉଥିବାରୁ ସନ୍ଧ୍ୟା ହେବାମାତ୍ରେ ଅଧିକ ଗ୍ରାହକଙ୍କ ଗହଳି ଜମିବା ସହ ବେଶ୍‌ ଭଲ ଦି’ ପଇସା ରୋଜଗାର ମଧ୍ୟ ହେଉଛି। ହିମାନୀ କୁହନ୍ତି, ‘କାହା ଉପରେ ନିର୍ଭର ନ କରି ପ୍ରଥମେ ଏକ ଛୋଟ ଲୋନ୍‌ ନେଇ ଏହି ଫୁଡ୍‌ କର୍ନର ଆରମ୍ଭ କରିଥିଲୁ। ଆମର ଲକ୍ଷ୍ୟ ଥିଲା ନିଜ ପଢ଼ାଖର୍ଚ୍ଚ ନିଜେ ତୁଲେଇବା। ତେଣୁ କେହି କେହି ଏହା ପୁଅମାନଙ୍କ କାମ ବୋଲି ଆମକୁ କହିଥିଲେ ସୁଦ୍ଧା ଆମେ ପଛଘୁଞ୍ଚା ଦେଇ ନ ଥିଲୁ। ସବୁଠୁ ବଡ଼ କଥା ହେଉଛି, ଝିଅ ହୋଇ ଆମେ ଏହି କାର୍ଯ୍ୟ କରିବୁ ଜାଣି ପରିବାର ଏବଂ ପରିଚିତ ଲୋକେ ଆମକୁ ସପୋର୍ଟ କରିଥିଲେ।’ ଆମେ କେବଳ ୟୁଟ୍ୟୁବ୍‌ ଦେଖି ଏହି ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଶିଖିଛୁ। ତେଣୁ ଯେତେବେଳେ ଗ୍ରାହକ ଆମ ପ୍ରସ୍ତୁତ ଖାଦ୍ୟ ସ୍ବାଦିଷ୍ଟ ବୋଲି ପ୍ରଶଂସା କରନ୍ତି, ବେଶ୍‌ ଖୁସି ଲାଗେ ବୋଲି ପ୍ରକାଶ କରନ୍ତି ରାଜଶ୍ରୀ। ତେବେ ଆତ୍ମନିର୍ଭରଶୀଳ ହେବା ଲାଗି କୌଣସି କାର୍ଯ୍ୟ ଛୋଟ ବା ବଡ଼ ନୁହେଁ କିମ୍ବା କୌଣସି କାର୍ଯ୍ୟ ଝିଅ ନ କରିପାରିବେ ଭାବିବା ଠିକ୍‌ ନୁହେଁ। କୌଣସି କାର୍ଯ୍ୟ ଲାଗି ମନରେ ଇଚ୍ଛା ଆଉ ଏଥିପାଇଁ ଆବଶ୍ୟକ ଉଦ୍ୟମ କଲେ ଲକ୍ଷ୍ୟ ହାସଲ କରିବା ସମ୍ଭବ ବୋଲି ମତ ଦିଅନ୍ତି ମାନସୀ।

ପେସା ଦେଉଛି ଆତ୍ମସନ୍ତୋଷ: ରୁବି ସାହୁ। ଶ୍ରୀକ୍ଷେତ୍ରରେ ଜଣେ ଯୁବତୀ ଅଟୋଚାଳକ ଭାବେ ଏବେ ବେଶ୍‌ ଚର୍ଚ୍ଚାରେ। ପିଲାଟିଦିନୁ ଅନେକ ବାଧାବିଘ୍ନ ଦେଇ ଗତି କରିଛି ତାଙ୍କ ଜୀବନ। ମା’ବାପାଙ୍କ ଅବହେଳା ଏବଂ ଅନ୍ୟାନ୍ୟ ପରିସ୍ଥିତି ବାଧ୍ୟ କରିଛି ତାଙ୍କୁ ଖୁବ୍‌ କମ୍‌ ବୟସରେ ଘର ଛାଡ଼ିବାକୁ। ତା’ ପରେ ଆରମ୍ଭ ହୋଇଛି ଏତେ ବଡ଼ ଦୁନିଆରେ କୁନି ଝିଅଟିର ଏକା ବଞ୍ଚତ୍ବାର ସଂଘର୍ଷ। ପ୍ରଥମେ ଖୋର୍ଦ୍ଧାସ୍ଥିତ ନିଜ ଘର ଛାଡ଼ିବା ପରେ ପେଟ ପୋଷିବାକୁ ହୋଟେଲ୍‌ରେ ବାସନ ବି ମାଜିଛନ୍ତି। ଏହାପରେ ମଧ୍ୟ କିଛି ବର୍ଷ ବିଭିନ୍ନ ସ୍ଥାନରେ ଅନେକ କଷ୍ଟରେ କଟିଥିଲା। ତା’ପରେ ଜଗତ୍‌ସିଂହପୁର ନାଉଗାଁରେ ରହୁଥିବା ଜଣେ ଡାକ୍ତରଙ୍କ ଘରେ ରହି କାମ କରିବାର ସୁଯୋଗ ମିଳିଲା। ସେଠାରେ ସେମାନେ ତାଙ୍କୁ ନିଜ ଝିଅ ଭଳି ସ୍ନେହ ଶ୍ରଦ୍ଧା କଲେ। ସେଠାରେ ପ୍ରାୟ ୮ ବର୍ଷ ରହିବା ପରେ ସେ ଚାଲି ଆସିଥିଲେ ପୁରୀ। ଆଉ ସ୍ବାବଲମ୍ବୀ ହେବା ଲାଗି ଏକ ଅଟୋ କିଣିଲେ। ସେ କୁହନ୍ତି, ପିଲାବେଳୁ ଏ ପର୍ଯ୍ୟନ୍ତ ଯାହା କିଛି ସଞ୍ଚୟ କରିଥିଲି, ସେଥିରେ ଅଟୋ କିଣିଛି। ଯଦିଓ ଜଣେ ଝିଅ ହୋଇ ଏହି କାର୍ଯ୍ୟ କରୁଥିବାରୁ ଅନେକ ଟାହିଟାପରା ଶୁଣିବାକୁ ମିଳୁଛି, ଷ୍ଟାଣ୍ଡରେ ଅଟୋ ରଖିବା ବେଳେ କିମ୍ବା ପାସେଞ୍ଜର ଉଠାଇବା ବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ତଥାପି ହାର ମାନିନାହିଁ। ମୋ ମତରେ କୌଣସି ବୃତ୍ତି କେବଳ ପୁରୁଷଙ୍କ ଲାଗି ଉଦ୍ଦିଷ୍ଟ ତା’ ନୁହେଁ, ଆଗ୍ରହ ଏବଂ ସାହସ ଥିଲେ ନାରୀ ବି ସବୁକାର୍ଯ୍ୟ ଲାଗି ସମର୍ଥ। ତା’ଛଡା ସତ୍‌ପଥରେ ରୋଜଗାର ଲାଗି ଏପରି କାର୍ଯ୍ୟ ବାଛିଥିବାରୁ କୌଣସି ବାଧାବିଘ୍ନ ମୋତେ ପ୍ରଭାବିତ କରିପାରୁନି ବରଂ ଏଥିରେ ମୋତେ ଆତ୍ମସନ୍ତୋଷ ମିଳୁଛି।

– ପୌର୍ଣ୍ଣମାସୀ

Share