ଆମ୍ବୁଲାନ୍ସରୁ ସରିଗଲା ତେଲ: ଡାକ୍ତରଖାନା ଯିବା ରାସ୍ତାରେ ଆଖିବୁଜିଲେ ମା’, ଗର୍ଭସ୍ଥ ଶିଶୁ

ବାରିପଦା ଅଫିସ,୫।୧୦: ଡାକ୍ତରଖାନା ଯିବା ରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଗର୍ଭବତୀ ମହିଳା ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ହାଣଦା ଗ୍ରାମରେ ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ଗ୍ରାମର ଚିତ୍ତରଞ୍ଜନ ମୁଣ୍ଡାଙ୍କ ସ୍ତ୍ରୀ ତୁଳସୀ ମୁଣ୍ଡା।

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ତୁଳସୀଙ୍କର ପ୍ରସବ ବେଦନା ହେବାରୁ ପରିବାରଲୋକେ ତାଙ୍କୁ ପ୍ରଥମେ ବାଙ୍ଗିରିପୋଷିସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଦର୍ଶାଇ ଡାକ୍ତର ତୁଳସୀଙ୍କୁ ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ହେଲେ ସେହି ସମୟରେ ଡାକ୍ତରଖାନାରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ନ ଥିବାରୁ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାରିପଦା ପଠାଯାଇଥିଲା। ଦୁର୍ଭାଗ୍ୟବଶତଃ ଅଧାରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା। ଫଳରେ ତୁଳସୀ ସେଠାରେ ପାଖାପାଖି ଦୁଇଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଖବର ଦିଆଯିବା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ତୁଳସୀଙ୍କୁ ନେଇ ବାରିପଦା ଆସିଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

Share