ଆମ୍ବୁଲାନ୍ସର ହେଉଛି ଅପବ୍ୟବହାର

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ। ଏପରି ସମୟରେ ଆମ୍ବୁଲାନ୍ସର ଅପବ୍ୟବହାର ହେଉଛି। ଜରୁରିକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସକୁ କେତେଜଣ ଲୋକ ଅପବ୍ୟବହାର କରୁଛନ୍ତି। ସଙ୍କଟ ସମୟରେ ସମସ୍ତେ ବିବେକର ସହ କାମ କରନ୍ତୁ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାକୁ ଆମ୍ବୁଲାନ୍ସର ଅସଦ୍‌ ବ୍ୟବହାର କରନ୍ତୁ ନାହିଁ ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ସେ କହିଛନ୍ତି ଯେ, ଆମ୍ବୁଲାନ୍ସ ଏକ ବିଶ୍ୱାସ। ଏହି ବିଶ୍ୱାସରେ ଆମ୍ବୁଲାନ୍ସ ଗଡୁଛି। କିଛି ଲୋକ ଓ ଆମ୍ବୁଲାନ୍ସ ଡ୍ରାଇଭର ଟଙ୍କା ଲୋଭରେ ନିଜ ବିବେକ ହରାଉଛନ୍ତି। ସେମିତି କେତେଜଣ ବିବେକହୀନ ଡ୍ରାଇଭରଙ୍କ ଆମ୍ବୁଲାନ୍ସକୁ ଏଭଳି ବ୍ୟବହାର ପାଇଁ ସୁଯୋଗ ଦେଉଛନ୍ତି। ସେମାନଙ୍କ ପାଇଁ ସବୁ ଆମ୍ବୁଲାନ୍ସକୁ ଏବେ ରାସ୍ତା ଉପରେ ଯାଞ୍ଚ କରାଯାଉଛି। ଯେଉଁଥିପାଇଁ ଅନେକ ରୋଗୀ ହଇରାଣରେ ପଡୁଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି। ଆମ୍ବୁଲାନ୍ସକୁ ମୁଖ୍ୟମନ୍ତ୍ରୀ ବି ବାଟ ଛାଡି ଦିଅନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ବେଳେ ବି ଆମ୍ବୁଲାନ୍ସକୁ ବାଟ ଛଡା ଯାଇଥିଲା। ତେଣୁ ସମସ୍ତେ ଆମ୍ବୁଲାନ୍ସର ଉଚିତ ବ୍ୟବହାର କରନ୍ତୁ ବୋଲି ବାଗ୍‌ଚୀ ଜନସାଧାରଣ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପରାମର୍ଶ ଦେଇଛନ୍ତି।

Share