ଆମ୍ବୁଲାନ୍ସ ଚକା ଖରାପ ଯୋଗୁ ଅଧଘଣ୍ଟା ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିଲେ ରୋଗୀ

ମୁନିଗୁଡ଼ା,୩।୧୧(ଡି.ଏନ.ଏ.): ୧୦୮ ଆମ୍ବୁଲାନ୍ସକୁ ନେଇ ରାୟଗଡା ଜିଲାରେ ଅନେକ ଥର ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ରବିବାର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି । ଜିଲାର ମୁନିଗୁଡ଼ା ବ୍ଲକ ମଧୁମୁଣ୍ଡା ଗ୍ରାମର ଲୋଟି ସାରକା (୩୫) ଅନେକ ଦିନ ଧରି ଜ୍ବରରେ ପୀଡିତ ଥିଲେ। ଆଜି ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ମୁନିଗୁଡ଼ା ଡାକ୍ତରଖାନା ଯିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। ଆମ୍ବୁଲାନ୍ସ ମଧ୍ୟ ଆସିଥିଲା । ମାତ୍ର ଡାକ୍ତରଖାନା ଯିବା ସମୟରେ ଅଧା ରାସ୍ତାରେ ତଥା କୁଟ୍ରାଗଡ଼ ଗ୍ରାମ ନିକଟରେ ଆମ୍ବୁଲାନ୍ସ ଚକ ପଙ୍କଚର୍‌ ହୋଇଯାଇଥିଲା। ଫଳରେ ଅଧାଘଣ୍ଟା ଧରି ରୋଗୀ ଓ ସମ୍ପର୍କୀୟ ରାସ୍ତାକଡ଼ରେ ଅଟକି ରହିଥିଲେ ।
ତେବେ ପରିତାପର ବିଷୟ ହେଉଛି ଆମ୍ବୁଲାନ୍ସରେ ଥିବା ଷ୍ଟେଫିନ ଚକର ଅବସ୍ଥା ଏପରି ଥିଲା ଯେ ତାହା ବଦଳାଯାଇ ପାରିବା କଷ୍ଟକର ଥିଲା। ତେବେ ରୋଗୀ ଓ ସମ୍ପର୍କୀୟ କୌଣସି ଉପାୟ ନ ଥିବାରୁ ବାଧ୍ୟ ହୋଇ ୩୦ ମିନିଟ ଅନ୍ୟ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ। ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସ ଆସିବା ପରେ ରୋଗୀ ଜଣକ ଡାକ୍ତରଖାନାରେ ପହଞ୍ଚିଥିଲେ । ଏ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ସହ ସରକାର ଶୀଘ୍ର ଏପରି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଏହାର ସମାଧାନ କରିବାକୁ ଦାବି କରିଛନ୍ତି ।
ସୂଚନାଥାଉକି, ଗତ କିଛି ଦିନ ତଳେ ଠିକ୍‌ ଏହିପରି ଭାବେ ଜିଲାର କଲ୍ୟାଣସିଂପୁରଠାରେ ଆମ୍ବୁଲାନ୍ସର ଚକ ପଙ୍କଚର ଯୋଗୁ ବିଳମ୍ବରେ ରୋଗୀ ଜଣକ ଡାକ୍ତରଖାନାରେ ପହଞ୍ଚିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।