କୋଲକାତା,୮।୧: ପଶ୍ଚିମବଙ୍ଗର ଭାଜପା ପ୍ରଦେଶ ଅଧ୍ୟକ୍ଷଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ବରୋଧୀ ଏବେ ତାଙ୍କୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ନଦିଆ ଜିଲାରେ ମମତା ସରକାରଙ୍କ ବିରୋଧରେ ଭାଜପା ପ୍ରଦେଶ ଅଧ୍ୟକ୍ଷ ଦିଲୀପ ଘୋଷ ଏକ ରାଲି କରିଥିଲେ। ରାଲିକୁ ସମ୍ବୋଧିତ କରୁଥିବା ସମୟରେ ସେହି ରାସ୍ତା ଦେଇ ଏକ ଆମ୍ବୁଲାନ୍ସ ଯାଉଥିବା ବେଳେ ତାକୁ କେହି ବାଟ ଛାଡି ନ ଥିଲେ। ଏହାକୁ ଦେଖି ମଧ୍ୟ ପ୍ରଦେଶ ଅଧ୍ୟକ୍ଷ ଅଣଦେଖା କରିଥିଲେ। ଏଠାରେ ହଜାର ହଜାର ଲୋକ ବସିଛନ୍ତି, ଆମ୍ବଲାନ୍ସକୁ ଅନ୍ୟ ରାସ୍ତା ଦେଇ ଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ରାଲିରେ ବାଧା ସୃଷ୍ଟି କରିବା ପାଇଁ ମମତାଙ୍କ ଏହା ଏକ ଷଡଯନ୍ତ୍ର ବୋଲି ଦିଲୀପ କହିଥିଲେ। ତେବେ କେହି ବାଟ ନ ଛାଡିବାରୁ ଶେଷରେ ଆମ୍ବୁଲନ୍ସଟି ପଛକୁ ଫେରି ଅନ୍ୟ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଚାଲି ଯାଇଥିଲା। ଏହି ଭିଡିଓ ସୋମବାରର ହୋଇଥିବା ବେଳେ ବୁଧବାର ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଏବେ ରାଜନୀତି ଉଷ୍ମତା ଦେଖିବାକୁ ମିଳିଛି।