ଆମ୍ବ ଚାଷୀଙ୍କ ବଇରି ସାଜିଛନ୍ତି ହାତୀ

ଚମ୍ପୁଆ, ୧୬।୬ (ଡି.ଏନ.ଏ.)- କେନ୍ଦୁଝର ଜିଲାର ଉପାନ୍ତ ଚମ୍ପୁଆ ସେକ୍ସନ ଅଧୀନ ବନାଞ୍ଚଳରେ ମାସେ ହେବ ହାତୀ ଉପଦ୍ରବ ଜାରିିରହିଛି। ସେମାନେ ଦିନରେ ଝାଡଖଣ୍ଡ ବନାଞ୍ଚଳରେ ରହି ରାତିରେ ଓଡିଶା ସୀମାକୁ ଆସି ଆମ୍ବ ବଗିଚା ସମେତ ବିଭିନ୍ନ ଫସଲ ଉଜାଡି ଦେଉଛନ୍ତି। ବନ ବିଭାଗ ହାତୀଙ୍କୁ ଘଉଡାଇବା ଉଦ୍ୟମ କରି ଫେଲ୍‌ ମାରୁଛି। ପୂର୍ବରୁ ହାତୀପଲ ଧାନ ଓ ଅନ୍ୟ ଫସଲ ନଷ୍ଟ କରୁଥିବା ବେଳେ ଏବେ ଆମ୍ବ ଚାଷୀଙ୍କ ବଇରି ସାଜିଛନ୍ତି। ପାଚିଲା ଆମ୍ବ ଆକର୍ଷଣରେ ହାତୀପଲ ବୈତରଣୀ ନଦୀ ପାର ହୋଇ ଅଢଙ୍ଗାପାଳ ଓ ଏହା ଆଖପାଖ ଅଞ୍ଚଳକୁ ଆସି ଧାନ ଫସଲ ସମେତ ବହୁ ଆମ୍ବ ବଗିଚା ଉଜାଡି ଦେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଢଙ୍ଗାପାଳ ଗାଁର ୭ରୁ ଊର୍ଦ୍ଧ୍ୱ ଆମ୍ବ ଚାଷୀଙ୍କ ବଗିଚାରେ ହାତୀପଲ ରାତିସାରା ରହି ଆମ୍ବ ଖାଇ ଗଛ ନଷ୍ଟ କରି ଦେଇଛନ୍ତି। ଚମ୍ପୁଆ ଅଞ୍ଚଳରେ ବହୁ ଚାଷୀ ବିଭିନ୍ନ କିସମର ମିଠା ଆମ୍ବ ଚାଷ କରୁଥାନ୍ତି। ହାତୀ ଉପଦ୍ରବ ଯୋଗୁ ସେମାନେ ବହୁକ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିିଛନ୍ତି।