ଆମ୍ବ ତୋଳିବା କାଳ ହେଲା: ପାଣିରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

ବାହାନଗା, ୫ା୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବ ତୋଳିବାକୁ ଯାଇ ଦୁଇ ଭଉଣୀ ପୋଖରୀରେ ବୁଡି ପ୍ରାଣ ହରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ସାହାସପୁରା ଗ୍ରାମର ମକିମ୍‌ ସାହାଙ୍କ ଦୁଇ ଝିଅ ପ୍ରମିଣି ଖାତୁନ୍‌ (୧୧) ଓ ନୟନା ଖାତୁନ୍‌ (୬) ନିକଟସ୍ଥ ପୋଖରୀ କୂଳରେ ଥିବା ଆମ୍ବ ଗଛରୁ ଆମ୍ବ ତୋଳୁଥିଲେ। ପ୍ରଥମେ ସାନଝିଅ ନୟନା ଗୋଡ ପୋଖରୀ ମଧ୍ୟକୁ ଖସିଯାଇଥିଲା। ତେବେ ତାକୁ ଉଦ୍ଧାର କରିବାକୁ ଉଦ୍ୟମ କରି ବଡଭଉଣୀ ପ୍ରମିଣି ମଧ୍ୟ ପୋଖରୀରେ ବୁଡିଯାଇଥିଲେ। ଦୁଇ ଭଉଣୀଙ୍କୁ ନ ପାଇ ଘରଲୋକେ ଖୋଜାଖୋଜି କରିବା ପରେ ପୋଖରୀରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନୟନା ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ବଡ ଭଉଣୀ ପ୍ରମିଣୀ ୫ମ ଶ୍ରେଣୀରେ ପାଠ ପଢୁଥିଲେ।