Categories: ଗଞ୍ଜାମ

ଆମ୍ବ ତୋଳିବା କାଳ ହେଲା: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

ଫିରିଙ୍ଗିଆ,୨୨।୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ସାଦୁରୁମୁଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଏକ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଦଶରଥି ଭୁକ୍ତା ଓ ସ୍ତ୍ରୀ ସରୋଜିନୀ ଭୁକ୍ତା। ଉଭୟ ରାସ୍ତା ପାର୍ଶ୍ୱରେ ଥିବା ଆମ୍ବ ଗଛରୁ ଆମ୍ବ ତୋଳିବା ଲାଗି ଯାଇଥିଲେ। ସେଠାରେ ଏକ ବାଉଁଶ ବାଡ଼ି ଯୋଗେ ସରୋଜିନୀ ଆମ୍ବ ତୋଳୁଥିବା ବେଳେ ଉପରେ ଥିବା ଏକ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇଥିବା ଦଶରଥିଙ୍କୁ ମଧ୍ୟ ବିଦ୍ୟୁତ୍‌ ଆଘାତ ଦେଇଥିଲା। ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।