Categories: ଜାତୀୟ

ଆମ୍‌ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା

ଡେରାଡୁନ୍‌, ୧୮।୫: ଉତ୍ତରାଖଣ୍ଡ ଆମ୍‌ ଆଦମୀ ପାର୍ଟିକୁ ଏକ ବଡ଼ ଝଟ୍‌କା ଲାଗିଛି। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏଏପି ମୁଖ୍ୟମନ୍ତ୍ରୀ ଚେହେରା ଥିବା କର୍ନଲ ଅଜୟ କୋଠିୟାଲ୍‌ ବୁଧବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ପାର୍ଟି ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅଜୟ ନିଜ ଇସ୍ତଫାରେ ଲେଖିଛନ୍ତି, ଏପ୍ରିଲ ୧୯ ୨୦୨୧ରେ ମୁଁ ଦଳରେ ସାମିଲ ହୋଇଥିଲି। ଆଜି ମେ ୧୮ ୨୦୨୨ରେ ଦଳ ଛାଡୁଛି। ପ୍ରାୟ ୧୩ ମାସ ଧରି ମୁଁ ଦଳରେ ରହିଛି। ଏବେ ପୂର୍ବତନ ସୈନିକ, ପୂର୍ବତନ ଅର୍ଦ୍ଧସୈନିକ, ବୃଦ୍ଧାବୃଦ୍ଧ, ମହିଳା, ଯୁବଗୋଷ୍ଠୀ ଏବଂ ବୁଦ୍ଧିଜୀବିଙ୍କ ଭାବନାକୁ ଧ୍ୟାନରେ ରଖି ଦଳ ଛାଡୁଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ,ଅଜୟ କୋଠିୟାଲ୍‌ ଫେବୃୟାରୀ ୨୦୨୨ରେ ଗଙ୍ଗୋତ୍ରୀ ଆସନରୁ ନିର୍ବାଚନ ଲଢି ହାରିଯାଇଥିଲେ। ସେ ତୃତୀୟ ସ୍ଥାନରେ ରହିଥିଲେ। ଏଠାରୁ ଭାଜପାର ସୁରେଶ ଚୌହାନ ନିର୍ବାଚନ ଜିତିଥିଲେ। ଅଜୟଙ୍କୁ ମାତ୍ର ୫ ହଜାର ଭୋଟ ମିଳିଥିଲା।

Share