ମଣିଷଙ୍କର ଖାଦ୍ୟାଭ୍ୟାସ ଅତି ନିଆରା। ଖାଦ୍ୟାଭ୍ୟାସ ଦୃଷ୍ଟିରୁ ମଣିଷମାନେ ୪ଶ୍ରେଣୀରେ ବିଭକ୍ତ। କେବଳ ଉଦ୍ଭିଦଜାତ ଖାଦ୍ୟପଦାର୍ଥ ଖାଉଥିବା ଲୋକଙ୍କୁ ନିରାମିଷାଶୀ ବା ଶାକାହାରୀ, ସେହିଭଳି କେବଳ ପ୍ରାଣୀଜାତ ପଦାର୍ଥ ଭକ୍ଷଣକାରୀଙ୍କୁ ମାଂସାଶୀ ବା ମାଂସାହାରୀ, ଉଭୟ ପ୍ରାଣୀଜାତ ଓ ଉଦ୍ଭିଦଜାତ ଖାଦ୍ୟପଦାର୍ଥ ଖାଉଥିବା ଲୋକଙ୍କୁ ସର୍ବଗ୍ରାସୀ ବା ସର୍ବଭୁକ କୁହାଯାଉଥିବା ବେଳେ ଯେଉଁ ଶାକାହାରୀ ଦୁଗ୍ଧ କିମ୍ବା ଦୁଗ୍ଧଜାତ ଖାଦ୍ୟପଦାର୍ଥ ଖାଆନ୍ତି ନାହିଁ ସେମାନଙ୍କୁ ଓ୍ବିଗେନ ବୋଲି କହନ୍ତି। ଶାକାହାରୀ ଓ ମାଂସାହାରୀଙ୍କ ମଧ୍ୟରେ ହେଉଥିବା ତର୍କ ଶୁଣିଥିବେ। ଶାକାହାରୀମାନେ ମାଂସାହାରୀ ଜୀବଜନ୍ତୁଙ୍କ ଉପରେ ଅତ୍ୟାଚାର କରୁଥିବାର ଆରୋପ ଲଗାଉଥିବା ବେଳେ ମାଂସାହାରୀମାନେ ଶାକାହାରୀଙ୍କୁ ଘାସପତ୍ର ଖାଉଥିବା ଜୀବ କହି ଚିଡେଇବାକୁ ପଛାଇନଥାନ୍ତି। ବିଶ୍ବର ଅଧିକାଂଶ ଦେଶର ଲୋକ ନିଜ ମନ ମୁତାବକ ଖାଦ୍ୟ ଖାଇବା ପାଇଁ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନତା ପାଇଛନ୍ତି। ତେବେ ଏ ସମସ୍ତ ଲୋକଙ୍କ ମଧ୍ୟରୁ ମାଂସାହାରୀଙ୍କ ସଂଖ୍ୟା କିନ୍ତୁ ସବୁଠାରୁ ଅଧିକ।
ଫ୍ରେଣ୍ଡ୍ସ ଅଫ୍ ଆର୍ଥ ନାମକ ସଂସ୍ଥାର ତଥ୍ୟ କହୁଛି ସମଗ୍ର ଦୁନିଆରେ ସମ୍ପୂର୍ଣ୍ଣ ଶାକାହାରୀଙ୍କ ସଂଖ୍ୟା ପ୍ରାୟ ୫୦କୋଟିରୁ ଅଧିକ। ସମଗ୍ର ଦୁନିଆର ମୋଟ ଜନସଂଖ୍ୟା ପାଖାପାଖି ୭ଶହ ୫୦କୋଟି। ତେଣୁ ଶାକାହାରୀଙ୍କ ସଂଖ୍ୟାକୁ ହିସାବ କରି ଦେଖିଲେ ଏମାନଙ୍କୁ ଅଳ୍ପ ସଂଖ୍ୟକ ବା ସଂଖ୍ୟାଲଘୁ ବୋଲି କହିପାରିବା। ଫ୍ରେଣ୍ଡ୍ସ ଅଫ୍ ଆର୍ଥ ସଂସ୍ଥା ୨୦୧୪ରେ ଏକ ମିଟ୍ ଆଟଲାସ ଜାରି କରିଥିଲା। ତଦନୁଯାୟୀ ସାରା ବିଶ୍ୱରେ ସର୍ବାଧିକ ଶାକାହାରୀ ଭାରତରେ ବାସ କରୁଥିବା ଜଣାଯାଏ। ଭାରତରେ ମୋଟ ଜନସଂଖ୍ୟାର ୩୧ ପ୍ରତିଶତ ଲୋକ ଶାକାହାରୀ। ଏଠାରେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କର ଖାଦ୍ୟ ଖାଇବାରେ ସ୍ବାଧୀନତା ରହିଅଛି। ଏଭଳି ସ୍ବାଧୀନତାକୁ ଆମେ ସମସ୍ତେ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛୁ।
ଦୁନିଆରେ ଶାକାହାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲେ ଧରଣୀକୁ ଅଧିକ ସୁସ୍ଥ, ଶୀତଳ ଓ ବୈଭବଶାଳୀ ରୂପେ ଗଢ଼ାଯାଇ ପାରିବ ବୋଲି ଆମେରିକାର ନ୍ୟାଶନାଲ ଏକାଡେମୀ ଅଫ୍ ସାଇନ୍ସେସ ସଂସ୍ଥା ନିଜର ନୂତନ ଗବେଷଣାତ୍ମକ ତଥ୍ୟରେ ପ୍ରକାଶ କରିଛି। ଏହି ସଂସ୍ଥାର ତଥ୍ୟ କହୁଛି, ଯଦି ଭୋଜନ ଥାଳିରେ ନିରାମିଷ ଖାଦ୍ୟ ପାଇଁ ଅଧିକ ସ୍ଥାନ ଦେବା ତେବେ ପ୍ରତିବର୍ଷ ଦୁନିଆରେ ଘଟୁଥିବା ୫୦ଲକ୍ଷ ଲୋକଙ୍କ ମୃତ୍ୟୁକୁ ଦୂରେଇ ଦେଇ ହେବ। ପୁଣି ଦୁଗ୍ଧ କିମ୍ବା ଦୁଗ୍ଧଜାତ ଖାଦ୍ୟପଦାର୍ଥ ଖାଇବା ଯଦି ବନ୍ଦ କରିଦେବା ତେବେ ପ୍ରତିବର୍ଷ ପ୍ରାୟ ୮୦ଲକ୍ଷ ଲୋକଙ୍କୁ ମରଣମୁହଁରୁ ରକ୍ଷା କରାଯାଇପାରିବ। ଏହା ଶୁଣିବାକୁ ଯେତିକି ଅଡୁଆ ଲାଗୁଛି ପାଳନ କରିବା ସେତିକି କଷ୍ଟସାଧ୍ୟ ବ୍ୟାପାର। ଭୋଜନରେ ପ୍ରାଣୀଜାତ ଖାଦ୍ୟ ପଦାର୍ଥର ମାତ୍ରା କମ୍ ରହିଲେ ପ୍ରତିବର୍ଷ ପ୍ରାୟ ୬୬ଲକ୍ଷ ୭୩ହଜାର କୋଟି ଟଙ୍କାର ଅଯଥା ଖର୍ଚ୍ଚକୁ ରୋକାଯାଇ ପାରିବ। ପୁଣି ଏହାଦ୍ବାରା ସବୁଜଘର ଗ୍ୟାସ୍ରେ ହ୍ରାସ ଘଟିବ। ଫଳରେ ପ୍ରଦୂଷଣର ମାତ୍ରା ହ୍ରାସ ଘଟି ୩୩ ଲକ୍ଷ ୩୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝରୁ ମୁକ୍ତି ମିଳିପାରିବ। ଗବେଷଣାର ତଥ୍ୟ ଅନୁସାରେ ଏପରି ହେଲେ ବିକାଶଶୀଳ ଦେଶଗୁଡ଼ିକୁ ଅଧିକ ଲାଭ ମିଳିବ। ପୁଣି କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ବାରା ମେଦବହୁଳତା ସମସ୍ୟା ଅନେକ ମାତ୍ରାରେ ହ୍ରାସ ପାଇବ। ଲାଟିନ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ସ୍ବାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଅତିରିକ୍ତ ଖର୍ଚ୍ଚ ଉପରେ ରୋକ ଲାଗିବ। ସବୁଠାରୁ ବଡ଼ କଥା ହେଉଛି, ଏହାଦ୍ବାରା ଫଳ ଓ ପନିପରିବାର ଉତ୍ପାଦନ ବୃଦ୍ଧି ପାଇବ। ଫଳସ୍ବରୂପ ଭାରତ ସମେତ ଦକ୍ଷିଣ ଏସୀୟ ଦେଶ ସମୂହର ଅର୍ଥ ବ୍ୟବସ୍ଥାକୁ ଏହାର ସୁଫଳ ମିଳିବ। ଏସବୁ କାର୍ଯ୍ୟ କିନ୍ତୁ ଏତେଟା ସହଜ ନୁହେଁ। ଏଥିପାଇଁ ଆମକୁ ଫଳ ଓ ପନିପରିବା ଖାଇବା ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ରେଡ୍ ମିଟ୍ ସେବନକୁ ୫୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ପଡ଼ିବ। ସାରା ଦୁନିଆର ଲୋକଙ୍କୁ ୧୫ ପ୍ରତିଶତ କମ୍ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରିବାକୁ ହେବ। ଏହାର ଅର୍ଥ ହେଉଛି ଯଦି ଜଣେ ପ୍ରତିଦିନ ୨ହଜାର କ୍ୟାଲୋରୀର ଖାଦ୍ୟ ଗ୍ରହଣ କରୁଛି ତେବେ ତା’କୁ ୧୭ଶହ କ୍ୟାଲୋରୀ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିବା ପରେ ଅଟକି ଯିବାକୁ ହେବ।
ମାଂସ ଭକ୍ଷଣ କରିବା ଦ୍ବାରା କିଛିକ୍ଷଣ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଧରଣୀ ପାଇଁ ମାଂସାହାର କୌଣସି ଲାଭ ଆଣିଦେବ ନାହିଁ। ସାରା ଦୁନିଆରେ ବିଭିନ୍ନ କାରଣରୁ ହେଉଥିବା ପ୍ରଦୂଷଣ ଅପେକ୍ଷା ମାଂସଜାତ ଖାଦ୍ୟପଦାର୍ଥ ଉତ୍ପାଦନ ସମୟରେ ପ୍ରଦୂଷଣର ମାତ୍ରା ୨୦ ପ୍ରତିଶତ ଅଧିକ ହୋଇଥାଏ। ତା’ମାନେ ସାରା ଦୁନିଆର ସମସ୍ତ ଯାନବାହନ, ଉଡାଜାହାଜ, ରେଳଗାଡ଼ି ସହ ଅନ୍ୟାନ୍ୟ ସାଧନ ଦ୍ବାରା ହେଉଥିବା ବିଭିନ୍ନ ପ୍ରକାର ପ୍ରଦୂଷଣର ମାତ୍ରାଠାରୁ ଅପେକ୍ଷାକୃତ ଏହାର ମାତ୍ରା ଅଧିକ। ଏକ ହିସାବରୁ ଜଣାପଡ଼ିଛି ଆମେ ମାଂସ ପାଇଁ ପାଳୁଥିବା ପ୍ରାଣୀଙ୍କୁ ଯେଉଁ ସବୁ ଖାଦ୍ୟ ଦେଉ ସେସବୁ ଯଦି ମଣିଷମାନଙ୍କୁ ଦିଆଯିବ ତେବେ ୨ଗୁଣ ଲୋକଙ୍କର ପେଟ ପୂରିଯିବ। ୧କିଲୋ ପୋର୍କ ଉତ୍ପାଦନ ପାଇଁ ଦୈନିକ ପ୍ରାୟ ୮କିଲୋର ଖାଦ୍ୟଶସ୍ୟ ଶୁକରଙ୍କୁ ଦେବାକୁ ପଡୁଛି।୧କିଲୋ ଚିକେନ ଉତ୍ପାଦନ ପାଇଁ ଗୋଟିଏ କୁକୁଡାକୁ ପ୍ରାୟ ୩କିଲୋର ଖାଦ୍ୟଶସ୍ୟ ଦେବାକୁ ପଡୁଛି। ସେହିପରି ଛେଳି କିମ୍ବା ମେଣ୍ଢା ମାଂସକୁ ଭୋଜନ ଥାଳିରେ ପହଞ୍ଚାଇବା ପାଇଁ ପନିପରିବା ତୁଳନାରେ ଶହେ ଗୁଣ ଅଧିକ ଜଳ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଖାଦ୍ୟ ରୂପେ ଅଧା କିଲୋ ଆଳୁକୁ ପାଇବା ପାଇଁ ହାରାହାରି ୧୨୭ଲିଟର ଜଳ ଆବଶ୍ୟକ ହେଉଥିବା ବେଳେ ଅଧା କିଲୋ ମାଂସ ପାଇଁ ପ୍ରାୟ ୯ହଜାର ଲିଟରରୁ ଅଧିକ ଜଳ ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେହିଭଳି ଅଧା କିଲୋ ଗହମ ଅଟା ପାଇବା ପାଇଁ ୬୮୧ଲିଟର ଜଳ ଆବଶ୍ୟକ ହୋଇଥାଏ।
୧କିଲୋ ମାଂସ ଉତ୍ପାଦନ ପାଇଁ ପରିବେଶ ଉପରେ ଯେଉଁ କୁପ୍ରଭାବ ପଡ଼ିଥାଏ; ୩ଘଣ୍ଟା ପର୍ଯ୍ୟନ୍ତ କାର୍ ଚାଳନା କଲେ ନିିର୍ଗତ ହେଉଥିବା ଧୂଆଁର ମାତ୍ରାଠାରୁ ଅଧିକ କିମ୍ବା ତାହା ସହ ସମାନ ହୋଇଥାଏ। ମାଂସ ପାଇଁ ଶୁକର, ମେଣ୍ଢା, ଛେଳି, କୁକୁଡ଼ା, ବତକ ଆଦି ପ୍ରାଣୀଙ୍କୁ ବହୁ ସଂଖ୍ୟାରେ ପାଳନ କରାଯାଉଛି। ଏମାନଙ୍କ ପାଇଁ ବହୁ ପରିମାଣର ସ୍ଥାନ, ଜଳ ଓ ଖାଦ୍ୟଶସ୍ୟ ଆବଶ୍ୟକ ହେଉଅଛି। ଫ୍ରେଣ୍ଡସ ଅଫ୍ ଆର୍ଥ ନାମକ ସଂସ୍ଥାର ତଥ୍ୟ ଅନୁସାରେ ମାଂସ ଜାତୀୟ ଖାଦ୍ୟପଦାର୍ଥ ପାଇଁ ଏହିସବୁ ପ୍ରାଣୀଙ୍କ ସକାଶେ ପ୍ରତିବର୍ଷ ପ୍ରାୟ ୬ଲକ୍ଷ ହେକ୍ଟୋଏୟର୍ ଜଙ୍ଗଲ କଟାଯାଉଛି। ଏହି ଜଙ୍ଗଲ ଜମିରେ ପଶୁଶାଳା ବା ଫାର୍ମ ହାଉସ କରାଯାଉଛି। ସାରା ଦୁନିଆର ଏସବୁ ଜମିର ପରିମାଣକୁ ଯଦି ମିଶାଇଦେବା, ତେବେ ତାହା ୟୁରୋପୀୟ ଦେଶ ବେଲଜିୟମର ପ୍ରାୟ ୨ଗୁଣ ହେବ। ୪ଶହ ଗ୍ରାମ୍ର ମାଂସ ଉତ୍ପାଦନରେ ହାରାହାରି ୪୦କିଲୋ ବର୍ଜ୍ୟବସ୍ତୁ ବାହାରିଥାଏ। ଯାହା ଭୂତଳ ଜଳକୁ ବହୁମାତ୍ରାରେ ପ୍ରଦୂଷିତ କରିଥାଏ। ସାରା ଦୁନିଆରେ ଉପଲବ୍ଧ ବିଶୁଦ୍ଧ ଜଳର ୭୦ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଏହାର ସିଂହଭାଗ ମାଂସ ଉତ୍ପାଦନ ପାଇଁ ନିର୍ମିତ ହୋଇଥିବା ପଶୁପାଳନରେ ବ୍ୟବହୃତ ହୋଇଥାଏ।
ଲୋକେ ଯଦି ନିଜ ଭୋଜନ ଥାଳିରେ ଉଦ୍ଭିଦ ଜାତ ଖାଦ୍ୟ ପଦାର୍ଥକୁ ଅଧିକ ମାତ୍ରାରେ ସ୍ଥାନ ଦେବେ, ତେବେ ପ୍ରାଣୀଙ୍କୁ ପାଳିବା ପାଇଁ ବିନିଯୋଗ ହୋଇଥିବା ୧୬୦କୋଟି ହେକ୍ଟୋଏୟର୍ ଜମି ମୁକ୍ତ ହୋଇପାରିବ। ଏହାର ଆକାର ଭାରତୀୟ ଭୂଭାଗର ୨ଗୁଣରୁ କିଛି ଅଧିକ ହେବ। ଜଣେ ଆମେରିକୀୟ ବାର୍ଷିକ ପ୍ରାୟ ୧୨୨କିଲୋ ମାଂସ ଭକ୍ଷଣ କରିଥାଏ। ଭେଜିଟେରିଆନ ସୋସାଇଟି ନାମକ ଏକ ସଂସ୍ଥା କହିବା ଅନୁସାରେ ବ୍ରିଟେନରେ ମାଂସ ଭକ୍ଷଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନକାଳ ମଧ୍ୟରେ ସର୍ବାଧିକ ୧୧ହଜାର ପ୍ରାଣୀଙ୍କୁ ଖାଇ ଯାଇଥାନ୍ତି। ଏଥିରେ ୨୮ଟି ବତକ, ୧ଟି ଠେକୁଆ, ୪ଟି ଚତୁଃସ୍ପଦ ପ୍ରାଣୀ, ୩୯ଟି ଟର୍କୀ, ୧୧୫୮ଟି କୁକୁଡା, ୩୫୯୩ଟି ସେଲଫିସ ଏବଂ ୬୧୮୨ଟି ମାଛ ରହିଛି।
ବୈଜ୍ଞାନିକଙ୍କ ମତାନୁସାରେ ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ନିରାମିଷ ଭୋଜନକୁ ଗ୍ରହଣ କରିନେଲେ ଧରଣୀକୁ ସୁରକ୍ଷା ଦେଇପାରିବା। କାରଣ ମାଂସ ଆହାର ହ୍ରାସ ପାଇଲେ ବିଶ୍ବ ତାପରେ ହ୍ରାସ ଘଟିବ। ଏହାଦ୍ବାରା ପୃଥିବୀର ତାପମାତ୍ରାରେ ସନ୍ତୁଳନ ରକ୍ଷାହୋଇ ପାରିବ। ଏସବୁ ବିଷୟରେ ଜାଣିବା ପରେ ଆମକୁ ସବୁଜ ପନିପରିବା ଓ ଫଳମୂଳ ଅଧିକ ପସନ୍ଦ ଆସିଯିବଣି, କିନ୍ତୁ ଆମେ କିଭଳି ଭୋଜନ ଗ୍ରହଣ କରିବା ଆବଶ୍ୟକ ସେ ବିଷୟରେ ସମ୍ପୂର୍ଣ୍ଣ ଭାବେ ଆମ ନିଜ ନିଜର ସ୍ବାଧୀନତା ରହିଛି।
ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ,
ମୋ- ୬୩୭୦୬୭୯୪୦୫,
।mohanty.1991@gma।l.com