Categories: ଜାତୀୟ

ଆମ ପାଇଁ ପାକିସ୍ତାନରେ ନିର୍ବାଚନ ଜିତିବା ସହଜ ହେବ, କାହିଁକି ଏମିତି କହିଥିଲେ ଅଟଳ ବିହାରୀ ବାଜପେୟୀ

ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡିଛି। ଭାରତ ସହ କେଉଁପଟେ ରାଗ ସୁଝାଇବ ତାହା ଚିନ୍ତା କରୁଛି ପାକିସ୍ତାନ। କିନ୍ତୁ ଦିନ ଥିଲା ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆଣିବା ପାଇଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କ୍ରିକେଟର ସାହାରା ନେଇଥିଲେ। ୧୯୯୯ର କାରଗିଲ ଯୁଦ୍ଧ ପରେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ଖେଳ ବନ୍ଦ ହୋଇ ଯାଇଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ପାଇଁ ୨୦୦୪ରେ ବାଜପେୟୀ ସୌରଭ ଗାଙ୍ଗୁଲିଙ୍କ ଅଧିନାୟିକତ୍ୱରେ ଟିମ ଇଣ୍ଡିଆକୁ ୩ଟି ଟେଷ୍ଟ ଏବଂ ୫ଟି ଦିନିକିଆ ମ୍ୟାଚ ପାକିସ୍ତାନରେ ଖେଳିବାକୁ ଅନୁମତି ଦେଇଥିଲେ ଭାରତ ସରକାର। ୧୯ବର୍ଷ ପରେ ପାକିସ୍ତାନ ଗସ୍ତରେ ଯାଇଥିବା ଟିମ ଇଣ୍ଡିଆର ମ୍ୟାଚ ଦେଖିବାକୁ ପ୍ରାୟ ୨୦ହଜାର ଲୋକଙ୍କୁ ଭିସା ପ୍ରଦାନ କରାଯାଇଥିଲା।
ବାଜପେୟୀଙ୍କ ଏମିତି ପଦକ୍ଷେପକୁ ଦୁଇ ଦେଶର ଲୋକମାନେ ଖୁବ ପ୍ରଶଂସା କରିଥିଲେ। ଭାରତୀୟ ଦଳ ପାକିସ୍ତାନ ଗସ୍ତ ପୂର୍ବରୁ ଭାରତୀୟ ଦଳର ମ୍ୟାନେଜର୍‌ ଥିବା ରତ୍ନାକର ସେଟ୍ଟୀ ସୁରକ୍ଷା ଯାଞ୍ଚ୍‌ ପାଇଁ ପାକିସ୍ତାନ ଯାଇଥିଲେ। ଭାରତ ଫେରି ରତ୍ନାକର ସେଟ୍ଟୀ କହିଥିଲେ, ସିରିଜ ପୂର୍ବରୁ ଟିମ ସୁରକ୍ଷା ପାଇଁ ପାକିସ୍ତାନ ଯାଇଥିଲି। ସେତେବେଳେ ଏୟାରପୋର୍ଟ, ରାସ୍ତା ଏବଂ ସର୍ବସାଧାରଣ ସ୍ଥାନରେ ଲୋକମାନେ ବାଜପେୟୀଙ୍କ ଫଟୋ ଧରି ଛିଡା ହୋଇଥିଲେ। ଏସବୁ ମୁଁ ବାଜପେୟୀଙ୍କୁ ଜଣାଇବାରୁ, ସେ ହସିକି କହିଲେ- ତେବେ ପାକିସ୍ତାନରେ ନିର୍ବାଚନ ଲଢ଼ିବା ଆମ ପାଇଁ ସହଜ ହେବ। ଏହି ଗସ୍ତରେ ଉଭୟ ଦିନିକିଆ ଏବଂ ଟେଷ୍ଟ ସିରିଜ କବଜା କରିଥିଲା ଭାରତ।

Share