ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ପିଲାମାନେ ନିଜକୁ ବୁଝିବା ପାଇଁ ଓ ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ରୋଲ୍ପ୍ଲେ (ଚରିତ୍ରରେ ଅଭିନୟ)ର ଉପଯୋଗ କରିଥାନ୍ତି। ସେମାନେ ବାସ୍ତବ ବା କାଳ୍ପନିକ ପରିସ୍ଥିତିରେ କେବଳ ନିଜ ପରି ନୁହନ୍ତି ବରଂ ଅନ୍ୟ ଲୋକ କିମ୍ବା ଚରିତ୍ର ଯଥା ବନ୍ଧୁ, ପରିବାର ସଦସ୍ୟ, ଗଳ୍ପ ବହିର ଚରିତ୍ର ବା ସୁପର ହିରୋମାନଙ୍କ ଭଳି ଅଭିନୟ କରନ୍ତି। ଏହାଦ୍ୱାରା ସେମାନେ ବିକଳ୍ପ ଦୃଷ୍ଟିକୋଣର ପରୀକ୍ଷାନିରୀକ୍ଷା କରନ୍ତିି, ଯାହା ସେମାନଙ୍କ ଆବେଗିକ ଓ ସାମାଜିକ କୌଶଳ ବିକାଶରେ ସାହାଯ୍ୟ କରେ। କିନ୍ତୁ ଆମେ କାହାକୁ ହିରୋ ଭାବେ ଉପସ୍ଥାପନ କରୁ? ବୁଲ୍ ଫାଇଟର ବା ଷଣ୍ଢ ସହ ଲଢ଼େଇ କରୁଥିବା ବ୍ୟକ୍ତି, ଶିକାରୀ, ପହିଲମାନ ଓ ଯୋଦ୍ଧାମାନଙ୍କୁ। ଯେତେବେଳେ ବୁଲ୍ ରିଙ୍ଗ୍ ମଧ୍ୟରେ ଷଣ୍ଢ ସହ ଲଢେଇ କରୁଥିବା ବ୍ୟକ୍ତି (ମାଟାଡୋର)ଙ୍କୁ ହିରୋ ଭାବେ ମହିମାନ୍ବିତ କରାଯାଏ, ସେତେବେଳେ ଜଣେ ପିଲା ନିଜକୁ ମାଟାଡୋର ଭଳି ମନେକରେ। ପିଲାଟା ବୁଝିପାରେନା ଯେ ଏହାଦ୍ୱାରା ଷଣ୍ଢଟି ଭୀଷଣ ଯନ୍ତ୍ରଣା ପାଇଥାଏ କିନ୍ତୁ ସେ ନିଜକୁ ହିରୋ ଭାବେ ଦେଖିଥାଏ। ‘ଜଷ୍ଟିନ ବିବର ଅଫ୍ ବୁଲ ଫାଇଟିଂ’ ଭାବେ ଆଖ୍ୟାୟିତ ଜଣେ ଜଣାଶୁଣା ମାଟାଡୋର ମାଇକେଲିଟୋ ଲାଗ୍ରାଭିୟର ୨୦୦୭ରେ ମାତ୍ର ୧୧ ବର୍ଷ ବୟସରେ ୬ଟି ଷଣ୍ଢକୁ ମାରିଦେଇଥିଲେ। ଏହାକୁ ଲକ୍ଷ୍ୟ କରି ଅଭିଭାବକମାନେ ମେକ୍ସିକୋର ବିଭିନ୍ନ ବୁଲ୍ ଫାଇଟିଂ ସ୍କୁଲରେ ସେମାନଙ୍କ ୬ ବର୍ଷର ପିଲାମାନଙ୍କୁ ଭର୍ତ୍ତି କରିଥିଲେ।
ଫ୍ରାନ୍ସରେ ମାଡାଟୋରମାନଙ୍କଠାରୁ ପ୍ରେରଣା ପାଇଥିବା ପିଲାମାନଙ୍କର ଦୁର୍ଭାଗ୍ୟଜନକ ପରିଣତିର ଦୁଇଟି ଉଦାହରଣ ଏଠାରେ ଉଲ୍ଲେଖଯୋଗ୍ୟ। ଦକ୍ଷିଣ ଫ୍ରାନ୍ସରେ ପ୍ରକାଶିତ ଦୈନିକ ଖବରକାଗଜ ‘ମିଡି-ଲିବର୍’ରେ ପ୍ରକାଶ ପାଇଥିଲା ଯେ, ତୀର ଲକ୍ଷ୍ୟ ସାଧନ ଲାଗି ଗୋଟିଏ କୁକୁରକୁ ବ୍ୟବହାର କରାଯାଇଥିଲା। ତା’ପରେ ତାକୁ ନଦୀଶଯ୍ୟାରେ ଫିଙ୍ଗି ଦିଆଯାଇଥିଲା, ଯେଉଁଠି ତା’ର ମୃତ୍ୟୁ ହୋଇଥିଲା। ପ୍ରାଣିହିଂସା ବିରୋଧରେ କାର୍ଯ୍ୟ କରୁଥିବା ସଂସ୍ଥା (ଏସ୍ପିସିଏ) ଜାଣିପାରିଥିଲା ଯେ, ବୁଲ୍ ଫାଇଟର ହେବାକୁ ପ୍ରୟାସ କରୁଥିବା ଦଳେ ପିଲା ଏହି ଘୃଣ୍ୟ କାର୍ଯ୍ୟ କରିଥିଲେ। ପୁନଶ୍ଚ ଫ୍ୟାନ୍ସର ଗଣମାଧ୍ୟମ ଏବେ ଜିୟୁ ଦ ଟୋରେରୋ (ବୁଲ୍ ଫାଇଟିଂ ଖେଳ)କୁ ଚିହ୍ନଟ କରିଛି ଯେଉଁଠି କିଶୋରମାନେ ବୁଲ୍ଫାଇଟ୍ରେ ଷଣ୍ଢକୁ ଚକ୍ମା ଦେବା ଭଳି ଚଳନ୍ତା ଟ୍ରେନ୍କୁ ଚକ୍ମା ଦେବାକୁ ଚେଷ୍ଟା କରନ୍ତି। ଗତବର୍ଷ ଜାନୁୟାରୀରେ ଏକ ହାଇସ୍ପିଡ୍ ଟ୍ରେନ୍ ଟିଜିଭିରେ ଚଢ଼ିବା ଲାଗି ଚେଷ୍ଟା କରୁଥିବା ୫ ଜଣ ହାଇସ୍କୁଲ ଛାତ୍ରଙ୍କୁ ସେତେବେଳେ ଚେତାବନୀ ଦିଆଯାଇଥିଲା।
ଏପରି ନକଲ କରିବା ଯେତିକି ଖରାପ ତା’ଠୁ ଅଧିକ ଖରାପ ହେଉଛି ପିଲାମାନେ ମାତାପିତାଙ୍କ ଘରୋଇ ହିଂସା ଦେଖିବା। ଲଣ୍ଡନସ୍ଥିତ କିଙ୍ଗସ୍ କଲେଜର ଆନ୍ନା ବାଲ୍ଡ୍ରି ଜାଣିବାକୁ ପାଇଛନ୍ତି ଯେ, ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ କିଶୋର ଯେଉଁମାନେ ଘରୋଇ ହିଂସା ଓ ପ୍ରାଣିହିଂସା ଦେଖିଥାନ୍ତି ସେମାନେ ପ୍ରାଣିହିଂସାରେ ଲିପ୍ତ ହୋଇପଡ଼ନ୍ତି। ପ୍ରାଣିହିଂସାକୁ ପ୍ରତ୍ୟକ୍ଷ କରୁଥିବା ମା’ମାନଙ୍କ ପିଲାଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ପିଲା ପ୍ରତ୍ୟକ୍ଷଭାବେ ପ୍ରାଣୀମାନଙ୍କୁ ନିର୍ଯାତନା ଦେଇଥାନ୍ତିି। ଯେଉଁମାନେ ନିୟତ ପ୍ରାଣିହିଂସା ସଂସ୍ପର୍ଶରେ ଆସନ୍ତି ବା ଦେଖନ୍ତି, ସେମାନେ ଏହାକୁ ଖରାପ ବୋଲି ଭାବନ୍ତି ନାହିଁ।
ଲଣ୍ଡନସ୍ଥିତ କିଙ୍ଗସ୍ କଲେଜ ଓ ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ଗବେଷକ ଫିଓନା ମ୍ୟାକ୍ଇଓ୍ବିନ ଓ ଅନ୍ୟମାନେ କରିଥିବା ଅନୁଧ୍ୟାନରୁ ଜଣାପଡିଛି ଯେ, ଘରୋଇ ହିଂସା ସଂସ୍ପର୍ଶରେ ଆସୁଥିବା ପିଲାମାନେ ପ୍ରାଣିହିଂସାରେ ବେଶି ଲିପ୍ତ ହୋଇଥାନ୍ତି। ଘରୋଇ ହିଂସା ସଂସ୍ପର୍ଶରେ ଆସୁଥିବା ପ୍ରାୟ ୨୯ରୁ ୩୨ ପ୍ରତିଶତ ପିଲା ପ୍ରାଣିହିଂସାରେ ଲିପ୍ତ ରହିଥିଲେ। ବଳାତ୍କାରୀମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଏବଂ ଶିଶୁ ଯୌନ ନିର୍ଯାତନାକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ପିଲାଦିନେ ପ୍ରାଣୀମାନଙ୍କୁ ନିର୍ଯାତନା ଦେଉଥିଲେ। ଏହାବ୍ୟତୀତ ଅନ୍ୟସବୁ ଅସାମାଜିକ କାର୍ଯ୍ୟ ଓ ଅପରାଧିକ ହିଂସା ସହ ପ୍ରାଣୀ ନିର୍ଯାତନାର ସମ୍ପର୍କ ରହିଥିବା ବହୁଦିନରୁ ଜଣାପଡ଼ିଛି। ପିଲାମାନଙ୍କ ଶାରୀରିକ, ଆବେଗିକ ଓ ମନସ୍ତାତ୍ତ୍ୱିକ ସ୍ତରରେ ଏହାର ଏକ ଦୀର୍ଘମିଆଦୀ ପ୍ରଭାବ ରହିଛି।
ପିଲାମାନେ ଯେତେ ପ୍ରକାର ହିଂସା ସଂସ୍ପର୍ଶରେ ଆସନ୍ତୁ ନା କାହିଁକି ତା’ର ପ୍ରଭାବ ରହିଛି ବୋଲି ବିଶ୍ୱାସ କରିବାକୁ ହେବ। ମଣିଷ ରିଙ୍ଗ୍ ମଧ୍ୟରେ ପ୍ରବେଶ କରି ପ୍ରାଣୀମାନଙ୍କୁ ଚାବୁକ ମାଡ଼ ଦେବା, ଗଞ୍ଜା ଓ କୁକୁର ଲଢ଼େଇ କରାଇବା, ଘରେ ବୟସ୍କମାନେ ପୋଷା ପ୍ରାଣୀଙ୍କୁ ଆନୁଗତ୍ୟ ଶିଖାଇବା ନାଁରେ ନିର୍ଯାତନା ଦେବା, ଏପରିକିି ଘରେ ପ୍ରାଣୀମାନଙ୍କୁ ମାରି ମାଂସ ଖାଇବା ଆଦିର ପ୍ରଭାବ ପିଲାମାନଙ୍କ ଉପରେ ପଡ଼େ।
କର୍ନାଟକ ଉପକୂଳ ଅଞ୍ଚଳରେ ବେଆଇନ ଭାବେ କାମ୍ବଲା ନାମକ ଏକ ମଇଁଷି ଦୌଡ ପ୍ରତିବର୍ଷ ଅନୁଷ୍ଠିତ ହେଉଛି। ହଳ ହଳ ମଇଁଷିଙ୍କୁ ଜୁଆଳିରେ ବାନ୍ଧି ଗଭୀର ପାଣିରେ ଚାବୁକ ମାରି ପହଁରି ପାରିହେବାକୁ ବାଧ୍ୟ କରାଯାଇଥାଏ। ଏହି ଖେଳରେ ଅନେକ ମଇଁଷି ମରିଯାଆନ୍ତି। ମହାରାଷ୍ଟ୍ରରେ ଘୋଡ଼ା ଓ ଗାଈମାନଙ୍କୁ ଏକାଠି ବାନ୍ଧି ସେମାନଙ୍କ ମଳଦ୍ୱାରରେ ଲୁହାଛଡ଼ ପୂରାଇ ଦୌଡାଯାଏ। ଉଭୟେ ଏଥିରେ ମରିଯାଆନ୍ତି। ଏହି କୃଷିଭିତ୍ତିକ ଖେଳକୁ ପିଲାମାନେ ଦେଖନ୍ତି। ଜାଲିକାଟୁରେ ଗୋଟିଏ ଦୃଷ୍ଟିହୀନ, ଭୋକିଲା ଏବଂ ଯନ୍ତ୍ରଣାରେ ପାଗଳ ପ୍ରାୟ ଷଣ୍ଢକୁ ଲୋକ ଗହଳିକୁ ଛାଡିଦିଆଯାଏ। ଯୁବକମାନେ ତାକୁ କାବୁ କରି ଅଟକାଇବାକୁ ଚେଷ୍ଟା କରିଥାଆନ୍ତି। ଏହି ଖେଳରେ ବହୁ ସମୟରେ ଉଭୟ ଷଣ୍ଢ ଓ ମଣିଷଙ୍କ ମୃତ୍ୟୁ ଘଟିଥାଏ। ବିଭିନ୍ନ ପ୍ରକାର ଜାଲିକାଟୁ ମଧ୍ୟରୁ ପାଲାକିଓ୍ବାଡୁ ଜାଲିକାଟୁ୍ରେ କିଶୋରମାନଙ୍କ ବଦଳରେ ପିଲାମାନେ ଭାଗ ନେଇଥାନ୍ତି।
ସ୍ପେନ୍ରେ ଶିକାର ଋତୁରେ ଶିକାରୀମାନେ ୧୦ରୁ ୭୦ଟି ଗାଲ୍ଗୋ (ଶିକାରୀ କୁକୁର)ଙ୍କୁ କାର୍ଯ୍ୟରେ ଲଗାନ୍ତି। ଗାଲ୍ଗୋମାନଙ୍କୁ ଠେକୁଆ ଶିକାର କରିବାକୁ ବାଧ୍ୟ କରାଯାଏ ଏବଂ ଶିକାର ଋତୁ ଶେଷରେ ଯେଉଁ କୁକୁରମାନେ ଏଥିରେ ଭଲ ପ୍ରଦର୍ଶନ କରିପାରନ୍ତିନି ସେମାନଙ୍କୁ ମାରିଦିଆଯାଏ। ମାଲିକମାନେ ପ୍ରାୟ ୧ ଲକ୍ଷ ଗାଲ୍ଗୋଙ୍କୁ ଗଛ ଡାଳରେ ଫାଶୀ ଦେଇ ମାରିଦେଇଥାନ୍ତି। ପିଲାମାନେ ଆଗ୍ରହର ସହ ଏହାକୁ ଦେଖନ୍ତି ଓ ହସନ୍ତି। ପଞ୍ଜାବରେ କୁକୁର ଲଢେଇ ଅନୁଷ୍ଠିତ ହୋଇଥାଏ ଏବଂ ଏଥିରେ ଭାଗ ନେଇଥିବା ପରାଜିତ କୁକୁରଙ୍କୁ ମାଲିକମାନେ ମାରଦିଅନ୍ତି ଓ ଏହି ଖେଳରେ ଭାଗ ନେଇଥିବା ଯୁବକମାନେ ବେଆଇନ ବନ୍ଧୁକ, ନିଶାଦ୍ରବ୍ୟ ଓ ମୃତ କୁକୁରଙ୍କ ସହ ଫଟୋ ଉଠାଇଥାନ୍ତି। ଭାବୁଛନ୍ତି କି ଏହି ପିଲାମାନେ ଶାନ୍ତିପ୍ରିୟ ପୃଥିବୀ ଗଢିପାରିବେ କିମ୍ବା ଏଠାରେ କାହା ପ୍ରତି ସେମାନଙ୍କର ସମ୍ମାନ ରହିବ? ଯେଉଁ ପିଲା ପ୍ରାଣୀ ନିର୍ଯାତନାରେ ଜଡିତ ଥାନ୍ତି ସେମାନେ ସମାଜ, ସ୍କୁଲ୍ ଏବଂ ପରିବାରରେ ନିର୍ଯାତନା ଦେଇଥାନ୍ତି ଓ ଘରୋଇ ହିଂସାରେ ଜଡିତ ରୁହନ୍ତି।
ମାର୍ଚ୍ଚରେ ଭିଏତ୍ନାମରେ ଅନୁଷ୍ଠିତ ହାତୀ ଦୌଡ଼ରେ ହାତୀମାନଙ୍କ ଉପରେ ପିଲାମାନେ ବସି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ସେମାନଙ୍କୁ ନିଷ୍ଠୁର ଭାବେ ଚାବୁକ ମାରିଥାନ୍ତି। ସ୍ଥାନୀୟ ବାସିନ୍ଦା ଏହାକୁ ଏକ ଉତ୍ସବ ବୋଲି କୁହନ୍ତି। ପ୍ରାଣୀ ନିର୍ଯାତନା କେବଳ ରକ୍ତାକ୍ତ ଖେଳ ମଧ୍ୟରେ ସୀମିତ ନୁହେଁ, ଏହା ମଧ୍ୟ ପ୍ରାଣୀ ହତ୍ୟାରେ ରହିଛି। ଭାରତରେ ଅନେକ କଂସେଇଖାନାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୪ ଓ ୫ ବର୍ଷ ବୟସର ପିଲାମାନେ ବହୁ ସଂଖ୍ୟାରେ ମଇଁଷି ଓ ଛେଳିଙ୍କୁ ଛୁରି ଭୁସି ମାରିବା ମଁୁ ଦେଖିଛି। ଲୋକମାନେ କଂସେଇଖାନା ଚାରିପାଖରେ ଠିଆହୋଇ ସେମାନଙ୍କ ପିଲାମାନେ ପ୍ରାଣୀମାନଙ୍କୁ ମାରିବା ଯାଏ ଛୁରି ଭୁସିିବା ଦୃଶ୍ୟକୁ ଦେଖି ହସିଥାନ୍ତି। ସେମାନଙ୍କ ଅଭିଭାବକ ଭୟାତୁର ପ୍ରାଣୀକୁ ଧରିଥିବାବେଳେ ପିଲାମାନଙ୍କୁ ତା’ ଗଳାରେ ବ୍ଲେଡ୍ ଚଳାଇବା ଶିକ୍ଷା ଦିଆଯାଏ। ଏହି ଗୋଷ୍ଠୀ ଦ୍ୱାରା ଏଭଳି ଅସମ୍ବେଦନଶୀଳ କାର୍ଯ୍ୟର ହିଂସକ ବିଶ୍ୱାସକୁ ବିଶ୍ୱ ସହ ଯୋଡିବା ସମ୍ଭବ କି? ମୁଁ ଯେତେବେଳେ କଂସେଇଖାନାର ବୟସ୍କମାନଙ୍କୁ ପଚାରିଲି କାହିଁକି ପିଲାମାନଙ୍କୁ ପ୍ରାଣୀ ହତ୍ୟା କାର୍ଯ୍ୟରେ ଲଗାଉଛ, ସେତେବେଳେ ସେମାନେ କହିଥିଲେ, ଯଦି ଏହି ବୟସରେ ପିଲାମାନଙ୍କୁ ଏ କାମ ନ ଶିଖାଇବୁ ତେବେ ସେମାନେ ବଡ଼ ହେଲେ ଏହା କରିବା ପାଇଁ ମନା କରିଦେଇପାରନ୍ତି।
ଆମେରିକାରେ କେଉଁ ଅଞ୍ଚଳ ସବୁଠୁ ବେଶି ହିଂସକ ଓ ଅସୁରକ୍ଷିତ ତାହା ଜାଣିବା ଲାଗି କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଥିଲା ଯେ, ଏହି ଅଞ୍ଚଳଗୁଡିକ କଂସେଇଖାନା ଚାରିପାଖର କିଛି କିଲୋମିଟର ମଧ୍ୟରେ ରହିଥିଲା। ଭାରତରେ ଏକ ସର୍ଭେରୁ ଜଣାପଡିଥିଲା ଯେ, କଂସେଇଖାନାର ସହର ରାମପୁରରେ ସବୁଠୁ କମ୍ ଲୋକ ରହୁଛନ୍ତି, ଯେଉଁମାନେ ସବୁଠୁ ବେଶି ଅପରାଧୀ। ଜଣାପଡିଛି, କିଶୋରାବସ୍ଥାରେ ଯେଉଁମାନେ ପ୍ରାଣୀ ହତ୍ୟା କରି ଆସିଛନ୍ତି ସେମାନେ ଯୁବାବସ୍ଥାରେ ଅପରାଧୀ ସାଜୁଛନ୍ତି।
Email: gandhim@nic.in